ହୁକିଟୋଲା ଡଙ୍ଗାବୁଡି ଘଟଣା ପରେ ବି ଭାଙ୍ଗୁନି ଲୋକଙ୍କ ନିଦ! ବିପଦ ସଂକୁଳ ଅବସ୍ଥାରେ କରୁଛନ୍ତି ଜଳଯାତ୍ରା, ମୃତ୍ୟୁକୁ କରୁଛନ୍ତି ଖୋଲା ଆମନ୍ତ୍ରଣ

119

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମହାନଦୀରେ ଡଙ୍ଗାବୁଡି ୧୦ ଜଣ ଜୀବନ ହରାଇଲେ । ଦେଶୀ ଡଙ୍ଗାରେ ବିପଦଜନକ ଯାତ୍ରା, ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନଥିବା ଏବଂ ପ୍ରଶାସନର ଅବହେଳାକୁ ଦାୟୀ କରାଗଲା ଦୁର୍ଘଟଣା ପାଇଁ । ହେଲେ ଏହି ଡଙ୍ଗାବୁଡିରୁ କଣ ଶିକ୍ଷା ମିଳିଲା । ରାଜ୍ୟର ଅନ୍ୟ ସ୍ଥାନରେ କେମିତି ଚାଲିଛି ଡଙ୍ଗାରେ ଯାତ୍ରା ।

ବିପଦଜନକ ଜଳଯାତ୍ରା । ଅସୁରକ୍ଷିତ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । ଏହା ହେଉଛି ରାଜନଗର ଅଂଚଳର ଦୃଶ୍ୟ । ୨୫ ଜଣ ଯାତ୍ରୀ କ୍ଷମତା ଥିବା ବୋଟ୍ରେ ପାର ହେଉଛନ୍ତି ୬୦-୭୦ ଜଣ ଲୋକ । ରାଜନଗର ବ୍ଲକର ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ ଆଦି ଅଂଚଳର ଲୋକେ ବିଭିନ୍ନ କାମ ପାଇଁ ଭଦ୍ରକ ଉପରେ ନିର୍ଭର କରନ୍ତି । କିନ୍ତୁ ଏଥି ପାଇଁ ସେମାନଙ୍କ ସାହାରା କେବଳ ଏହି ବୋଟ୍ । ହେଲେ ଏଥିରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନାହିଁ ।

ବସ୍ତା: ସେହିଭଳି ସମାନ ଦୁର୍ଦଶା ଭୋଗୁଛନ୍ତି ବସ୍ତା ଓ ଭୋଗରାଇ ଅଂଚଳର ଲୋକେ । ସୁବର୍ଣ୍ଣରେଖାର ବିସ୍ତିର୍ଣ୍ଣ ଜଳରାଶି ପାର ହେବା ପାଇଁ ବୋଟ୍ ହିଁ ଭରସା । ଯୋଗାଯୋଗ ପାଇଁ ପୋଲଟିଏ ନଥିବାରୁ ସ୍ଥାନୀୟ ଅଂଚଳର ଲୋକେ ନଦୀ ପାର ହେବା ପାଇଁ ଅସୁରକ୍ଷିତ ଭାବେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଘାଟରେ ମାତ୍ର ୨ଟି ଡଙ୍ଗା ରହିଥିବା ବେଳେ ସେଥିରେ ଥରକେ ୨୫ରୁ୩୦ ମଟର ସାଇକେଲ ସହ ୫୦ରୁ୭୦ ଲୋକ ପାର ହୋଇଥାନ୍ତି । କ୍ଷମତାଠାରୁ ଅଧିକ ଓଜନ ଯାଉଥିବା ଡଙ୍ଗାରେ ସୁରକ୍ଷାକୁ ଆଦୋ÷÷ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହେଉଛି ।

ଚାନ୍ଦବାଲି : ମନ୍ତେଇ ଓ ସାଳନ୍ଦୀ ନଦୀର ଘେରା ଭିତରେ ରହିଛି ଚାନ୍ଦବାଲି ଅଂଚଳ । ୯ଟି ଘାଟ ଦେଇ ଲୋକେ ବିଭିନ୍ନ ଅଂଚଳକୁ ଯାତ୍ରା କରିଥାନ୍ତି । ନିଜ କ୍ଷମତାଠୁ ଅଧିକ ଓଜନକୁ ବୋଟ୍ରେ ବୋହି ନେଉଛନ୍ତି ନାଉରିଆ । ଅନ୍ୟପଟେ ଲାଇଭ୍ ଜ୍ୟାକେଟ, ଲାଇଭ୍ ବୋଟ୍, ଡ୍ରମ ପରି କୌଣସି ସୁରକ୍ଷା ବ୍ୟବସ୍ଥା ଏଠାରେ ସାତ ସପନ ହୋଇ ରହିଛି । ଲୋକଙ୍କ ଜୀବନ ସତେ ଯେମିତି ବୋଟ୍ ଓ ନାଉରିଆଙ୍କ ପାଖରେ ବନ୍ଧା ପଡିଛି ।

ଚିଲିକା: ଚାନ୍ଦବାଲି କି ରାଜନଗର ନୁହେଁ, ପର୍ଯ୍ୟଟନର ମୁଖ୍ୟ ସ୍ଥାନ ଚିଲିକାରେ ବି ଚାଲୁଛି ବିପଦ ଜନକ ଜଳଯାତ୍ରା । ବିନା ସୁରକ୍ଷା ବ୍ୟବସ୍ଥା ଭିତରେ ମାତ୍ରାଧିକ ଲୋକଙ୍କୁ ନେଇ ଲଂଚ ଯାତ୍ରା କରୁଛି । ନିଜ କ୍ଷମତାଠୁ ପ୍ରାୟ ୧୫ରୁ ୨୦ ଜଣ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଅଧିକାଂଶ ବେସରକାରୀ ବୋଟ୍ର କାଗଜ ପତ୍ର ମଧ୍ୟ ଠିକ୍ ନଥିବା ଅଭିଯୋଗ ହେଉଛି । କିନ୍ତୁ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଉ ନଥିବା କୁହାଯାଉଛି ।

ହୀରାକୁଦ ଡଙ୍ଗାବୁଡି ଏବଂ ଚିଲିକା ଡଙ୍ଗାବୁଡି ଘଟଣା ପରେ ସୁରକ୍ଷା ଓ ପଂଜୀକରଣକୁ ସରକାର ଗୁରୁତ୍ୱ ଦେଇଥିଲେ ମଧ୍ୟ ଏହା କେବଳ ଧୂଆଁବାଣ ହୋଇ ରହିଯାଇଛି । ବିନା ଲାଇଫ୍ ଜ୍ୟାକେଟ ଓ ଅନ୍ୟ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ବୋଟ୍ । ସରକାରଙ୍କ ଗାଇଡଲାଇନ୍ ପ୍ରତି କାହାରି ଖାତିର ନଥିବା ବେଳେ ଏଥିପ୍ରତି ଯେମିତି ଏକ ପ୍ରକାର ଆଖି ବୁଜି ଦେଇଛି ପ୍ରଶାସନ ।