ରାଜନୀତି ଏକ ନାଟକ, ଏଥିରେ ଅଭିନୟ କରିବାକୁ ପଡେ: ଦାମ ରାଉତ

57

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଲେ, ଓଡିଶାରେ ଦାରିଦ୍ର୍ୟ ହ୍ରାସ ପାଇଛି । କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ନିବାସ ଗଲେ ମଧ୍ୟାହ୍ନ ଭୋଜନ ପାଇଁ । ଏହି ଦୁଇଟି କଥା – ରାଜନୀତିରେ କଣ ତାତ୍ପର୍ଯ୍ୟ ରଖେ । ଯେଉଁଠି ବିଜେଡି – ବିଜେପି ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ଜୋର ସୋରରେ ଚାଲିଛି ଏହି ରାଜନୈତିକ ଘଟଣା ବଳିକୁ ବ୍ୟାଖ୍ୟା କରିଛନ୍ତି ବିଜେଡି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

ରାଜନୀତି ଏକ ନାଟକ । ଏଥିରେ ଅଭିନୟ କରିବାକୁ ପଡେ । ଯେଉଁମାନେ ରାଜନୀତିକୁ ବେଶ ଭଲଭାବରେ ଜାଣିନଥାନ୍ତି କିମ୍ବା ରାଜନୈତିକ ବ୍ୟକ୍ତିଙ୍କ ଭାଷଣକୁ ଖୁବ୍ ଗମ୍ଭୀରତାର ସହ ନିଅନ୍ତି ତାଙ୍କ ପାଇଁ ଦାମଙ୍କ ଏହି ବ୍ୟାଖ୍ୟା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗତବର୍ଷ ସେପ୍ଟେମ୍ବର ମାସରେ ଠିକ୍ ଏହିଭଳି ଏକ ବୟାନ୍ ଦେଇଥିଲେ ଦାମ ।

ରାଜନୀତିର ପଶାପାଲିରେ ଅନେକ ଘଟଣା ଘଟିଥାଏ । ରଣନୀତି ତିଆରି ହୁଏ ଓ ଗୋଟି ଚାଳନା ହୁଏ । ଲକ୍ଷ ଥାଏ ଯୁଦ୍ଧ ଜିତିବା । ଗଣତନ୍ତ୍ରର ଏହି ଯୁଦ୍ଧ ହେଉଛି ନିର୍ବାଚନ । ତେଣୁ ଦାମଙ୍କ ଭାଷାରେ ନିର୍ବାଚନ ଜିତିବା ପାଇଁ ଅଭିନୟ ବି କରିବାକୁ ପଡେ ।