ଓଡ଼ିଶା ଫେରୁଫେରୁ ପୁଣି ନବୀନଙ୍କ ଉପରେ ଗର୍ଜିଲେ ଦାମ ! କହିଲେ, ବିଜେପି ସାହାଯ୍ୟରେ ଓଡ଼ିଶାରୁ ଭ୍ରଷ୍ଟାଚାର ଶାସନ ହଟିବ

281

କନକ ବ୍ୟୁରୋ : ଆଜିଠାରୁ ଗେରୁଆ ଗଡ଼ରୁ ଶୁଭିବ ଦାମଙ୍କ ଶାଣିତ ସ୍ୱର । ଏବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ଦାମ ରାଉତ । ବିଜେପିରେ ସାମିଲ ହେବା ପରେ ବରିଷ୍ଠ ନେତା ଦାମୋଦର ରାଉତ ଆଜି ଭୁବନେଶ୍ୱର ଫେରିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସମର୍ଥକ ଓ ଶୁଭେଚ୍ଛୁ ପଂହଚିଥିଲେ । ଆଜି ଦିଲ୍ଲୀରୁ ଭୁବନେଶ୍ୱର ପହଂଚିବା ପରେ ଦାମୋଦର ରାଉତ ପ୍ରତିକ୍ରିୟା ଦେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଫେରୁଫେରୁ ପୁଣି ଶୁଭିଲା ଦାମଙ୍କ ଶାଣିତ ସ୍ୱର । କହିଛନ୍ତି , ନବୀନଙ୍କ ଶାସନ ସମୟରେ ରାଜ୍ୟରେ ଦୁର୍ନୀତି ଓ ନାରୀ ନିର୍ଯାତନା ବଢିଛି । ଏହି ସରକାରରେ ଆଦିବାସେୀ ହତାର ହୋଇ ବୁଲୁଛନ୍ତି । ଚାଷୀ ଆତ୍ମହତ୍ୟା ହାର ମଧ୍ୟ ବଢିଛି । ଓଡ଼ିଶାର ଜନସାଧାରଣ କୁଶାସନ, ଭ୍ରଷ୍ଟାଚାର ଦୁର୍ନୀତି ବିରୋଧରେ ନିଶ୍ଚୟ ସ୍ୱର ଉତ୍ତୋଳନ କରିବେ । ରାଜ୍ୟ ସରକାର କୋଟି କୋଟି ଟଙ୍କାର ଋଣ ଆଣି ଅୟସ ଆରାମ କରୁଛନ୍ତି । ଆଗାମୀ ନିର୍ବାଚନରେ ନବୀନ ସରକାରଙ୍କୁ ଲୋକେ ଉଚିତ ଜବାବ ଦେବେ । ୨୦୧୯ରେ ନିଶ୍ଚୟ ଭ୍ରଷ୍ଟାଚାରୀ ସରକାର ବଦଳିବେ । ନୂଆ ଶାସନ ଆସିବ ବୋଲି ଦମ୍ଭୋକ୍ତି କରିଛନ୍ତି ଦାମ ରାଉତ । ତେବେ କେଉଁଠୁ ନିର୍ବାଚନ ଲଢ଼ିବେ ବୋଲି କିଛି ସ୍ପଷ୍ଟ କରିନାହାନ୍ତି ଦାମ । ପାର୍ଟି ଯେଉଁଠୁ ଟିକେଟ ଦେବାପାଇଁ ନିଷ୍ପତ୍ତି ନେବେ ସେଇଠୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ଦିଲ୍ଲୀରେ ବିଜେପିର ସାମିଲ ହୋଇଥିଲେ ଦାମ । ଏହାପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ ଦାମ ରାଉତ । ଗେରୁଆ ଦଳରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଦାମ । ଏବେ ବିଜେପିରେ ସାମିଲ ପରେ ଚର୍ଚ୍ଚା କେଉଁଠୁ ଲଢିବେ । ବିଜେପିରେ ଯୋଗ ଦେବା ପରେ ଦାମ କହିଛନ୍ତି , ସେ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ । ଦାମ କହିଛନ୍ତି, ଜନ୍ମସ୍ଥାନ ବାଲିକୁଦାରୁ ସେ ୨୫ ବର୍ଷ ବିଧାୟକ ଥିଲେ । ତେଣୁ ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛି ।