ମହାରଷ୍ଟ୍ର ଅଚଳ ! ଯୁବକଙ୍କ ହତ୍ୟା ଘଟଣାକୁ ନେଇ ମୁମ୍ବାଇରେ ଦଳିତଙ୍କ ବିଦ୍ରୋହ

40

କନକ ବ୍ୟୁରୋ: ମହାରାଷ୍ଟ୍ର ଅଶାନ୍ତ । ମୁମ୍ବାଇକୁ ବ୍ୟାପିଲା ପୁଣେ ଦଳିତ ଆନ୍ଦୋଳନ । ପୁଣେରେ ଦଳିତଙ୍କ ବିଜୟ ଦିବସ ପାଳନବେଳେ ଜଣଙ୍କ ମୃତ୍ୟୁ ପ୍ରତିବାଦରେ ମୁମ୍ବାଇ ସହରର କେତେକାଂଶରେ ଜୋରଦାର ପ୍ରତିବାଦ କରିଛନ୍ତି ଦଳିତ ସଂଗଠନଗୁଡିକ । ଆଜି ମୁମ୍ବାଇ ବନ୍ଦ ବି ପାଳନ କରାଯାଉଛି । ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେକୁ ଅବରୋଧ କରିବା ସହ ବିଭିନ୍ନ ଷ୍ଟେସନରେ ଟ୍ରେନ ଅଟକାଇଛନ୍ତି ଆନ୍ଦୋଳନକାରୀ । ଫଳରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି ।

ପ୍ରତିବାଦକାରୀ ପୋଲିସ ଉପରକୁ ଟେକାପଥର ମାଡ କରିବା ଅଭିଯୋଗ ହୋଇଛି । ପୋଲିସ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ କଠୋର ହୋଇଥିବା ଅଭିଯୋଗରେ ଆଜି  ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ଯାହାକୁ ୨୫୦ ସଂଗଠନ ସମର୍ଥନ ଜଣାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଦଳିତଙ୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଓ ଆରଏସଏସକୁ ସମାଲୋଚନା କରି ଟ୍ୱିଟ କରିଛନ୍ତି ।

ସୋମବାର ପୁଣେରେ ଭୀମା-କୋରେଗାଓଁ ବିଜୟ ଦିବସ ପାଳନ କରୁଥିଲେ ଦଳିତ । ୧୮୧୮ ମସିହା ଜାନୁଆରୀ ୧ ତାରିଖରେ ପେଶୱା ବାଜିରାଓ ଦ୍ୱିତୀୟଙ୍କୁ ପରାସ୍ତ କରିଥିଲେ ଇଷ୍ଟ ଇଣ୍ଡିଆ କମ୍ପାନି ସୈନିକ । ଯାହାକୁ ଦଳିତଙ୍କ ବିଜୟ ବୋଲି କହି ପ୍ରତିବର୍ଷ ବିଜୟ ଦିବସ ପାଳନ ହୋଇଆସୁଛି । ମୁମ୍ବାଇ ଦଳିତ ପ୍ରୋଟେଷ୍ଟଏହି ଉତ୍ସବ ପାଳନବେଳେ ସ୍ଥାନୀୟ ଲୋକଙ୍କ ସହ ଦଳିତଙ୍କ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହେବା ସହ ୨୫ଟି ଗାଡିରେ ନିଆଁ ଲଗାଇବା ସହ ପଥର ମାଡରେ ଅନ୍ୟ ୫୦ରୁ ଅଧିକ ଗାଡି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି ।

ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ଏଥିସହ ଲୋକଙ୍କୁ ଶନ୍ତି ବଜାର ରଖିବାକୁ ସେ ଅପିଲ କରିଛନ୍ତି । ସୋସିଆଲ ମିଡିଆରେ ଗୁଜବ ପ୍ରଚାର ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ନେଇଛି ପୋଲିସ । ଘଟଣା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଲୋଚନା କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପରିସ୍ଥିତି  ନିୟନ୍ତ୍ରଣାଧୀନ ଥିବା ଦାବି କରିଛନ୍ତି ।