ମଣ୍ଡିରେ ଧାନ ଜଗିଛି ଚାଷୀ ! ହେଲେ ଧାନ ନେବା ପାଇଁ  ମିଲରଙ୍କ ଦେଖା ନାହିଁ 

32

କନକ ବ୍ୟୁରୋ: ମଣ୍ଡିରେ ପଡି ରହିଛି କ୍ୟୁଂଟାଲ କ୍ୟୁଂଟାଲ ଧାନ । ଦିନେ ନୁହଁ କି ଦୁଇ ଦିନ ନୁହଁ । ତିନି ସପ୍ତାହରୁ ଅଧିକ ସମୟ ଧରି ମଣ୍ଡିରେ କଷ୍ଟ ଉପାର୍ଜିତ ଧାନକୁ ଜଗି ରହିଛନ୍ତି ଚାଷୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମାଲାକନଗିରି ଜିଲ୍ଲା କୋରୁକୋଣ୍ଡା ଧାନ ମଣ୍ଡିରୁ । ଏଠାରେ ଦୁଇଟି ପଂଚାୟତର ଶହ ଶହ ଚାଷୀ ନିଜ ଧାନକୁ ଗଚ୍ଛିତ ରଖି ସରକାରୀ ବ୍ୟବସ୍ଥାକୁ ଅନେଇ ବସିଛନ୍ତି ।

ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରୋଗ୍ରାମ ମିଳିଛି । ଧାନ କ୍ରୟ ଲାଗି ଡିଜିଟାଲ ଟୋକନ ମଧ୍ୟ ପାଇଛନ୍ତି ଚାଷୀ । ଧାନର ମାନ ଯାଁଚ ପ୍ରକ୍ରିୟା ମଧ୍ୟ ସରିଛି । ହେଲେ ଧାନ ନେବା ପାଇଁ  ମିଲରଙ୍କ ଦେଖା ନାହିଁ । ଯେଉଁ ଅଳ୍ପ କିଛି ମିଲିର ଆସୁଛନ୍ତି ସେମାନେ ଦଲାଲଙ୍କୁ ଅଗ୍ରାଧିକାର ଦେଇ ଧାନ ଉଠାଉ ଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀ ମାନେ ୧୦ ରୁ ୧୩ କିଲୋ ଧାନ କଟନି ଛଟନି ନକରିବାରୁ ସେମାନଙ୍କ ଧାନ ଉଠୁନ ଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ମୋଟ ୧୧୧ଟି ଗ୍ରାମ ପଂଚାୟତ ପାଇଁ ଚଳିତ ବର୍ଷ ୬୦ଟି ଧାନ ମଣ୍ଡି ଖୋଲା ଯାଇଛି । କୋରୁକୋଣ୍ଡା ସମେତ ଜିଲ୍ଲାର ପୋଟ୍ରେଲ, କାମବାଡା, ତାରଲୋକୋଟା ପରି ପ୍ରାୟ ଅଧିକାଂଶ ମଣ୍ଡିରେ ଏକା ଅବସ୍ଥା । ମିଲରମାନଙ୍କ ସେକ୍ୟୁରିଟି ଟଙ୍କା ସରିଥିବାରୁ ସେମାନଙ୍କୁ ଧାନ ଦିଆଯାଉ ପାରୁନଥିବା କହିଛନ୍ତି ଉପ ଜିଲ୍ଲାପାଳ । ସପ୍ତାହେ ଭିତରେ ସମସ୍ତ ମାଣ୍ଡିରୁ ଧାନକୁ ସମ୍ପୁର୍ଣ୍ଣ ଭାବେ ଉଠାଇ ନିଆଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।