ଓଡ଼ିଶାର ଏମିତି ବି ଗାଁ ରହିଛି । ଯେଉଁଠି ଗାଈ କ୍ଷୀର ଖାଇବାକୁ ସାହସ ଜୁଟାଇପାରନ୍ତି ନାହିଁ ଲୋକେ, ଜାଣନ୍ତୁ କାହିଁକି ।

1,407

କନକ ବ୍ୟୁରୋ : ଦୀର୍ଘଦିନ ଧରି ଚିତ୍ରକୋଣ୍ଡା ବ୍ଳକର ୭ଟି ପଂଚାୟତର ବାସିନ୍ଦା ମୂଳ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇ ରହିଥିଲେ । ଗୁରୁପ୍ରିୟା ସେତୁ ହେବା ପରେ ଧୀରେ ଧୀରେ ଏହି ଅଂଚଳ ବିକାଶର ମୁଖ୍ୟ ଧାରାରେ ସାମିଲ ହେଉଛି । ତେବେ ସେହି ଅଂଚଳରୁ ଏପରି ଏକ ଖବର ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାକାର ବାସିନ୍ଦା ଖୁବ ଯତ୍ନରେ ଗାଈ ପାଳୁଛନ୍ତି, ହେଲେ କ୍ଷୀର ଦୁହୁଁନାହାନ୍ତି କି କ୍ଷୀର ପିଉନାହାନ୍ତି । କେବଳ ଚାଷ କାମରେ ଗାଈଗୋରୁ ବ୍ୟବହାର କରାଯାଉଛି । ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି ।

ମାଲକାନଗିରି ସ୍ୱାଭିମାନ ଅଂଚଳରେ ଏପରି ପରମ୍ପରା ବିଷୟରେ ଜାଣିଲେ, ଆପଣ ହୁଏତ ବିଶ୍ୱାସ କରିବେ ନାହିଁ । ହେଲେ ଚିତ୍ରକୋଣ୍ଡା ବ୍ଲକରେ ସତରେ ଏପରି ଘଟୁଛି । ଏଠାକାର ବାସିନ୍ଦା ଗାଈ ପାଳୁଛନ୍ତି, ସେମାନଙ୍କ ଯତ୍ନ ନେବାରେ ଅବହେଳା କରୁନାହାନ୍ତି, ହେଲେ କ୍ଷୀର ପିଉନାହାନ୍ତି କି କ୍ଷୀର ଦୁହୁଁନାହାନ୍ତି । ଏପରିକି କ୍ଷୀର କିମ୍ବା କ୍ଷୀର ଜାତୀୟ ଖାଦ୍ୟ ଖାଇବା ପାଇଁ ସେମାନଙ୍କ ମନରେ ଆଗ୍ରହ ନାହିଁ ।

ଗାଈର ସବୁ କ୍ଷୀର ପିଉଛି ବାଛୁରୀ । ପିଢ଼ି ପରେ ପିଢ଼ି ଏହି ପରମ୍ପରା ଚାଲିଛି, କେହି ବି ଏ ନେଇ ପ୍ରଶ୍ନ ଉଠାଉନାହାନ୍ତି । ଆଜି ବି ବଂଚି ରହିଛି ସେମାନଙ୍କ ଏହି ବିଶ୍ୱାସ । ଚାଷ କାମରେ ବଳଦ ବ୍ୟବହାର ହେଉଛି, ଗୋବର ଓ ଖତ ଚାଷ କାମରେ ଲାଗୁଛି, ହେଲେ ପୁରୁଣା ପରମ୍ପରା ଭାଙ୍ଗିବା ପାଇଁ କେହି ସାହସ କରୁନାହାନ୍ତି । ପୂର୍ବ ପୁରୁଷଙ୍କ ଏହି ନିଷ୍ପତି ପଛରେ କିଛି ବଡ଼ କାରଣ ରହିଥିବା କୁହନ୍ତି ଗ୍ରାମବାସୀ । କିଛି ବାସିନ୍ଦା ଯୁକ୍ତି ବାଢ଼ିଛନ୍ତି, ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଈଠାରୁ କ୍ଷୀର ଦୁହିଁବାକୁ ମନା କରିଛନ୍ତି ପୂର୍ବପୁରୁଷ ।

ଏକବିଂଶ ଶତାବ୍ଦୀରେ ଏପରି ଏକ ଅଜବ ବିଶ୍ୱାସ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁରୁଣା କାଳିଆ ପରମ୍ପରା ଓ ସଂସ୍କୃତିକୁ ଲୋକ ଛାଡି ପାରୁନଥିବାରୁ ଏଠାକାର ପିଲାମାନେ ପୋଷକତତ୍ୱରେ ଭରପୂର ଦେଶୀ ଗାଈ କ୍ଷୀର ପିଇବାରୁ ବଂଚିତ ହେଉଛନ୍ତି । ଲୋକଙ୍କ ମଧ୍ୟରେ ସଚେତନା ବୃଦ୍ଧି କରିବା ପାଇଁ ପ୍ରଶାସନ ଉଦ୍ୟମ କରିବାକୁ ଦାବି ହୋଇଛି ।