ଗୋ-ହତ୍ୟାକାରୀଙ୍କୁ ଫାଶି ଦିଅ ! ମୋଦିଙ୍କ ଏହି ସାଂସଦ ଆଣିଲେ ଗୋ-ରକ୍ଷା ବିଲ

45

ଗୋ-ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ଶୁକ୍ରବାର ସ୍ୱାମୀ ରାଜ୍ୟସଭାରେ ଗୋ-ସୁରକ୍ଷା ବିଲ-୨୦୧୭ ଉପସ୍ଥାପନ କରିଥିଲେ । ଏହାସହ ଗୋ-ହତ୍ୟା କରୁଥିବା ଦୋଷୀ ମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଗୃହରେ ଦାବି କରିଥିଲେ । ସ୍ୱାମୀଙ୍କ କହିବା ଅନୁଯାୟୀ, ମୋଗଲ ସମୟରେ ବାହାଦୂର ଶାହା ଜାଫର ଗୋ-ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇଥିଲେ କିନ୍ତୁ ବ୍ରିଟିଶ ଶାସନ କାଳ ପରଠାରୁ ଦେଶରେ ଗୋ-ହତ୍ୟା ବଢିଚାଲିଛି । ତେଣୁ ଏହା ଉପରେ କଠୋର ନିୟମ ଆସିବା ଆବଶ୍ୟକ ।

ଦିନକୁ ଦିନ ଗୋ-ହତ୍ୟା ବଢି ଚାଲୁଥିବାରୁ ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ସ୍ୱାମୀ । ତାଙ୍କ କହିବା ଅନୁସାରେ ଗାଈଙ୍କ ଠାରୁ ମିଳୁଥିବା ଉତ୍ପାଦ ସ୍ୱାସ୍ଥ୍ୟ ଉପଯୋଗୀ । ଏପରିକି ଗାଈ ମୁତ୍ରରୁ ଔଷଧ ମଧ୍ୟ ପ୍ରସ୍ତୁତ ହେଉଛି । ଏସବୁ ବ୍ୟତୀତ ଗାଈଙ୍କ ଠାରୁ ମିଳୁଥିବା ଉତ୍ପାଦରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ । ଏନେଇ ରଷିମୁନି ମାନେ ପୁରାଣରେ ଗାଈକୁ ମା ବୋଲି କହିଛନ୍ତି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ଗୋଶାଳା ନିର୍ମାଣ କରିବା ଆବଶ୍ୟକ ବୋଲି ସ୍ୱାମୀ କହିଛନ୍ତି । ତେବେ ସ୍ୱାମୀଙ୍କ ପ୍ରସ୍ତାବ ଉପରେ ତେଲେଙ୍ଗାନାର କଂଗ୍ରେସ ସାଂସଦ ଆନନ୍ଦ ଭାସ୍କର କହିଛନ୍ତି, ଗାଈଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ଆବଶ୍ୟକ କିନ୍ତୁ ଗାଈଙ୍କୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ ।

ସେହିଭଳି ସିପିଆଇ ସାଂସଦ ଡି ରାଜା ଏହି ବିଲକୁ ବିରୋଧ କରିବା ସହ ଗାଈଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି କହିଥିଲେ । ତେବେ ଗୋ-ସୁରକ୍ଷା ନାଁରେ ଲୋକ ମାନଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଉଛି ତାହା ଉପରେ ସ୍ୱାମୀ ଥରେ ଚିନ୍ତା କରିବା ଆବଶ୍ୟକ । କାରଣ ଗୋ-ସୁରକ୍ଷା ନାଁରେ ଦଳିତ, ମୁସଲିମଙ୍କ ଉପରେ ଯେଉଁଭଳି ଭାବେ ଆକ୍ରମଣ ହେଉଛି ତାହା ବେଶ ଚିନ୍ତାଜନକ ।