ମିଥାନଲ ପିଇଲେ ଭଲ ହୋଇଯିବ କରୋନା ! ଇରାନରେ ଗୁଜବକୁ ସତ ଭାବି ଜୀବନ ବିକଳରେ ବିଷାକ୍ତ ମଦ ପିଇଦେଲେ ଲୋକେ; ୩ଶହ ମୃତ, ୧୦୦୦ରୁ ଅଧିକ ଅସୁସ୍ଥ

ବିଦ୍ର- କରୋନାକୁ ନେଇ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।

9,481

କନକ ବ୍ୟୁରୋ: ସାରା ଦୁନିଆରେ ଆତଙ୍କ ରଚିଥିବା କରୋନା ଭାଇରସର ପ୍ରକୋପ ଥମିବାର ନା ଧରୁନି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଉ ଏହି ମହାମାରୀ ଭୁତାଣୁ ବିଶ୍ୱର ୨୦୨ ଦେଶକୁ ବ୍ୟାପିଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକ ଏହାର ଶିକାର ହୋଇସାରିଲେଣି । ସେହିପରି ସାରା ବିଶ୍ୱରେ ପ୍ରାୟ ୨୬ ହଜାର ୪୪୭ ଲୋକ କୋଭିଡ-୧୯ରେ ପ୍ରାଣ ହରାଇ ସାରିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ମିଳିଛି ।

କରୋନାର କୋକୁଆ ଭୟ ଭିତରେ ଇରାନରେ ବର୍ତ୍ତମାନ କରୋନା ଭାଇରସକୁ ନେଇ ସୃଷ୍ଟି ହୋଇଛି ଏକ ବଡ ବିପର୍ଯ୍ୟୟ । ଏକ ଗୁଜବର ଶିକାର ହୋଇ ଇରାନରେ ପ୍ରାୟ ୩ ଶହ ଲୋକ ପ୍ରାଣ ହରାଇଥିବା ବେଳେ ୧ ହଜାରରୁ ଅଧିକ ଲୋକ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଗ୍ରହ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନରେ ମିଥାନଲ ନାମକ ଏକ ରସାୟନିକ ପଦାର୍ଥ (ଇଣ୍ଡଷ୍ଟ୍ରିଆଲ ଆଲକୋହଲ) ପିଇ ୩ ଶହରୁ ଅଧିକ ଲୋକ ପ୍ରାଣ ହରାଇବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ମିଥାନଲ ଆଲକହଲ ପିଇଲେ କାଳେ କରୋନା ଭଲ ହୋଇଯିବ ବୋଲି ସୋସିଆଲ ମିଡିଆରେ ଏକ ମିଥ୍ୟା ଖବର ପ୍ରସାରିତ ହେବାପରେ ଲୋକେ ଏହାକୁ ସତ ବୋଲି ଧରିନେଇଥିଲେ । ଫଳରେ ଇରାନରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଥିବା ଜଣାପଡିଛି ।

ଅନ୍ୟପଟେ ବିଷାକ୍ତ ମଦ ପିଇ ଇରାନରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯିବା ପରେ ଇରାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଚଢଉ କରି ଏହାକୁ ଜବତ କରାଯାଇଛି । ଏଥି ସହିତ ଏଭଳି ଗୁଜବ ପ୍ରସାର କରିଥିବା ଲୋକଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।