ଷ୍ଟକ ବଜାରରେ କରୋନା ପ୍ରଭାବ : ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୪୪ ହଜାର ଟଙ୍କା ଟପିଲା

1,249

କନକ ବ୍ୟୁରୋ : ବିଶ୍ୱସ୍ୱାସ୍ଥ୍ୟ ସଙ୍କଟ ଘୋଷିତ ହୋଇଥିବା କରୋନାର ପ୍ରଭାବ ଏବେ ଷ୍ଟକ ମାର୍କେଟ ଉପରେ ବି ପଡିଛି  । ଏହି ଭୂତାଣୁର ମୁକାବିଲା ସମ୍ଭବ ହେଉନଥିବାରୁ ଏବେ ଏହା ନିବେଶକମାନଙ୍କ ମନରେ ବି ଆଶଙ୍କା ସୃଷ୍ଟି କରିଛି । ଚୀନରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ଏବେ କୋରିଆ, ଇରାନ ଓ ସାଉଥ କୋରିଆକୁ ମଧ୍ୟ ବ୍ୟାପିଥିବାରୁ ବିଶ୍ୱର ପ୍ରମୁଖ ଷ୍ଟକ ବଜାର ଗୁଡିକରେ କାରବାର ମାନ୍ଦା ରହିଥିଲା । ଏହାର ପ୍ରତିଫଳନ ବମ୍ବେ ଷ୍ଟକ ଏକ୍ସଚେଂଜ ଉପରେ ମଧ୍ୟ ପଡିଛି ।  ଫଳରେ ସେନସେକ୍ସ ୮୦୬ ପଏଂଟ ହ୍ରାସପାଇ ୪୦.୩୬୩ ପଏଂଟରେ ବନ୍ଦ ହୋଇଛି । ବିଗତ ତିନି ସପ୍ତାହ ଭିତରେ ଏହା ହଉଛି ସବୁଠୁ ବଡ ହ୍ରାସ ।

ସେହିପରି କରୋନା ପ୍ରଭାବରେ ଦେଶରେ ସୁନାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଖୁଚୁରା ବଜାରରେ ୧୦ଗ୍ରାମ ପିଛା ୪୪୬୦୦ଟଙ୍କାକୁ ବୃଦ୍ଧି ପାଇଛି । ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣ ମିଳିବା ଆଶା କମୁଥିବାରୁ ସୁନାର ଦାମ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ଯେତେବେଳେ ବିପଦ ସୃଷ୍ଟି ହୁଏ ସେତେବେଳେ ନିବେଶକ ମାନେ ସୁନାରେ ନିବେଶ କରିବା ଆରମ୍ଭ କରିଦିଅନ୍ତି । ଏବେ ଠିକ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରୂପା କେଜିପ୍ରତି ଦାମ ମଧ୍ୟ ବୃଦ୍ଧିପାଇ ୪୮ହଜାର ୫ଶହ ୮୫ଟଙକ୍ର ହୋଇଯାଇଛି । ସାତବର୍ଷ ଭିତରେ ଏହା ସୁନାର ଏହା ସର୍ବୋଚ୍ଚ ଦାମ ବୋଲି କୁହାଯାଉଛି ।