ବିଶ୍ୱାସ ଭାଙ୍ଗୁଛନ୍ତି ବାବା ! ଆଚରଣ ଉଚ୍ଚାରଣରେ ଫରକ

200

କନକ ବ୍ୟୁରୋ : ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବଦନାମ ହୋଇଛନ୍ତି ବାବା । କେବଳ ହରିୟାଣା ନୁହେଁ, ଓଡିଶାରେ ମଧ୍ୟ ଏହି ସଂସ୍କୃତି କିଛି ନୂଆ ନୁହେଁ । ସୁର-ସାରଥୀଙ୍କଠାରୁ ଆରମ୍ଭ କରି ବାନା ବାବାଙ୍କ ଯାଏଁ ଏଠି ବି ଖୁଲାସା ହୋଇଛି ବାବାଙ୍କ କେଳେଙ୍କାରୀ ।

ଏଭଳି ଆଧ୍ୟାତ୍ମିକ ଗୁରୁ, ତଥାକଥିତ ସମାଜ ସୁଧାରକଙ୍କ ତାଲିକା ଖୁବ ଲମ୍ବା । ଯେଉଁମାନେ ନିଜର ଏକ ସାମ୍ରାଜ୍ୟ ତିଆରି କରି ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ତମାମ ବେଆଇନ କାମ କରିଥାନ୍ତି । ଆଉ ଯେତେବେଳେ ଏହାର ପର୍ଦ୍ଦାଫାଶ ହୁଏ, ଚରମ ବିଶୃଙ୍ଖଳା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ । ରାମ ରହିମଙ୍କ ରାସ୍ତାରେ ପୂର୍ବରୁ ଓଡିଶାରେ ଅନେକ ବାବା ଚାଲିଛନ୍ତି । ବିବାଦୀୟ ହୋଇ ବନ୍ଧା ମଧ୍ୟ ହୋଇଛନ୍ତି ।

ଗତ କିଛି ଦିନ ଆଗରୁ ଓଡିଶାରେ ଏଭଳି କିଛି ବାବାଙ୍କୁ ହୋହଲ୍ଲା ଜୋର ଧରିଥିଲା । ବାରିମୁଳରୁ ବାନା ବାବା ଯାଏଁ ସମସ୍ତେ ଆସିଥିଲେ ଆଇନର ପରିଧି ଭିତରକୁ । କିଏ ଯୁବତୀଙ୍କୁ ଧରି ହାଇଦ୍ରାବାଦରେ ଛୁଟି କାଟି ବିବାଦୀୟ ତ କିଏ ସରକାରୀ ଜମି ମାଡି ବସିଥିଲା ଚର୍ଚ୍ଚାରେ । ଆଉ ସେହି ସମୟରୁ ଓଡିଶାରେ ବାବା କଲଚର ନେଇ ଅନକେ ବିତର୍କ ଆରମ୍ଭ ହୋଇଛି ।

ସାରଥୀ ବାବା : 
sarathi satsangରାମ ରହିମଙ୍କ ଭଳି ଏହି ବାବାଙ୍କର ଥିଲା ଅଲଗା କ୍ରେଜ । ସତସଙ୍ଗରେ ହଜାର ହଜାର ଭକ୍ତ, ମେକଅପ୍ ବୋଳା ଚେହେରା ସାଙ୍ଗକୁ ସୁମଧୁର କଣ୍ଠରେ ଗୀତ ବୋଲିବା । ଶୁନ୍ୟରେ ଚମକ୍ରାର କରିବା ସହ ବିଭୁତି ଆଉ ମହୁ ଝରାଇବା । ଏହି ତମାମ ହାତର ଯାଦୁ ବଳରେ ଅସଂଖ୍ୟ ଭକ୍ତ ତିଆରି କରି ଉଭୟ ଜନତା ଓ ନେତାଙ୍କୁ ନିଜ ପକେଟକୁ ନେଇଥିଲେ ସାରଥୀ । ହେଲେ ମଣିଷ ଚରିତ୍ରର ଏଠି ପର୍ଦ୍ଦାଫାଶ ହେଲା, ଯେତେବେଳେ ଜିନସ ଆଉ ସାର୍ଟ ଅବତାରରେ ବାବାଙ୍କ କେଳେଙ୍କାରୀର ଗୁମର ଫିଟିଥିଲା । ଆଉ ସାଙ୍ଗକୁ ସାଙ୍ଗକୁ ଯୋଡି ହୋଇଥିଲା ମହିଳାଙ୍କ ପ୍ରତି ଏହି ତଥାକଥିତ ଅବତାରଙ୍କ ଚିନ୍ତାଧାରା କିଭଳି ଥିଲା । ବିଳାସପୁର୍ଣ୍ଣ ଜୀବନ ଆଉ ତା ସାଙ୍ଗକୁ ରଙ୍ଗୀନ ମିଜାଜ । ଆଉ ଆଜି ଏହି ଆଧ୍ୟାତ୍ମିକ ଗୁରୁ ଜେଲରେ । ସେତେବେଳେ କିଛି ଭକ୍ତ ରାସ୍ତାକୁ ଆସି ଉତ୍ପାତ କଲେ । ଏବେ ସମସ୍ତେ ଚୁପ ।

ସୁର ବାବା : 
sura babaସାରଥୀଙ୍କ ପଛକୁ ପଛକୁ ଏହି ବାବାଙ୍କର ଗୁମର ଖୋଲିଥିଲା । ନିଜ ଆଶ୍ରମ ପରିସରରେ ଗୁଣ୍ଡାରାଜ ଚଲାଇବା ସହ ନରହତ୍ୟା ଭଳି ସଂଗୀନ ଅଭିଯୋଗ ଆସିଥିଲା ଏହି ବାବାଙ୍କ ନାଁରେ । କୁହୁକ ପୋଥିକୁ ଆୟୁଧ କରି ଲୋକଙ୍କ ଭବିଷ୍ୟତ କହୁଥିବା ଏହି ବାବା ନିଜ ଭବିଷ୍ୟତ ବାବଦରେ ଅଜ୍ଞ ରହିଲେ । ସାଧାରଣ ଭକ୍ତଙ୍କ ସହ ଖେଳ ଖେଳିବାର ପରବର୍ତ୍ତୀ ପର୍ଯ୍ୟାୟରେ ଭାଙ୍ଗିଯାଇଥିଲା ଏହି ସାମ୍ରାଜ୍ୟ । ଆଜି ବାବା ଜେଲରେ । ଧୁଳିସାତ ହୋଇଛି, ମିଛ ଉପରେ ପର୍ଯ୍ୟବେସିତ ହୋଇଥିବା ଆଧ୍ୟାତ୍ମିକତା । ଲୋକଙ୍କ ଭିତରେ କ୍ରୋଧ ଜୋର ଉଠିଥିଲା, ଜଳାପୋଡା ସହ ଭଙ୍ଗାରୁଜ୍ଜା ଦେଖିବାକୁ ମିଳିଲା । ବିଳାସପୁର୍ଣ୍ଣ ଜୀବନର ଅନେକ ଅଧ୍ୟାୟ ମଧ୍ୟ ଏହି ବାବାଙ୍କ ସହ ଯୋଡି ହୋଇଥିଲା ।

ବାନା ବାବା : 

bana-babaଅସ୍ତରଙ୍ଗ ନିକଟରେ ସରକାରୀ ଜମି ମାଡି ବସି ଲୋକଙ୍କ ପାଇଁ ଭଗବତ୍ ଚେତନାର କଥା କହୁଥିବା ଏହି ବାବା ମଧ୍ୟ ସେହି ସମୟରେ ବିବାଦ ଘେରକୁ ଆସିଥିଲେ । ବାବାଙ୍କ ଉପରେ ବେଲପତ୍ର ଚଢାଯାଉଥିଲା । ନେତା ମାନଙ୍କର ଆଶୀର୍ବାଦ ତାଙ୍କୁ କରିଥିଲା ବଳୀୟାନ । ଯଦିବା ବିଳାସମୟ ଜୀବନର ଦାଗ ଲାଗିନଥିଲା ବାନା ବାବାଙ୍କ କ୍ଷେତ୍ରରେ ହେଲେ, ବିବାଦୀୟ ଢେର ହୋଇଥିଲେ ।

ଏମିତି ଅନେକ ବାବାଙ୍କ ଫର୍ଦ୍ଦ ଖୋଲିଛି ଓଙ୍ଗିଶାରେ । ହେଲେ ପ୍ରତିଦିନ ନୁଆ ନୁଆ ବାବାଙ୍କର ଆବିର୍ଭାବ, ଆଧ୍ୟାତ୍ମିକ ଚେତନା ସାଙ୍ଗକୁ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଂଚାଉଛି । କାରଣ, ଏଠି ବାବା କଲଚର ଏବେ ବ୍ୟବସାୟର ସବୁଠାରୁ ବଡ ଫର୍ମୁଲା ପାଲଟିଛି ।