ବିଳମ୍ବିତ ହେଲା ପ୍ରସାଦ ହଟାଅ ଅଭିଯାନ : ଇଟାଲୀ ଗସ୍ତରେ ରାହୁଲ ଗାନ୍ଧୀ

43

କନକ ବ୍ୟୁରୋ : ସାମୟିକ ଭାବରେ ଟଳିଲା ବିଧାୟକଙ୍କ ପ୍ରସାଦ ହଟାଓ ଅଭିଯାନ । କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ଆଶା ବାନ୍ଧିଥିବା ବିଧାୟକ ଦଳ କିଛି ଦିନ ହାତବାନ୍ଧି ବସିବାକୁ ପଡ଼ିବ । କାହିଁକି ନା’ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱ ପରିବର୍ତ୍ତନ ନେଇ ଯେଉଁ ଯୋଜନା ଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି । କଂଗ୍ରେସ ଉପାଧ୍ୟକ୍ଷ ଇଟାଲୀ ଗସ୍ତରେ ଯାଉଥିବାରୁ ରାହୁଲଙ୍କ ଫେରିବା ପରେ ହିଁ ପୁଣି ତେଜିବ ନେତୃତ୍ୱ ପରିବର୍ତ୍ତନ ଦାବି ।

ପ୍ରସାଦ ବିରୋଧୀଙ୍କୁ ସହାୟ ହେଉନି ଭାଗ୍ୟ । ପିସିସି ପରିବର୍ତ୍ତନ ଦାବୀରେ ହାଇକମାଣ୍ଡଙ୍କୁ ଭେଟିବାକୁ ବିଧାୟକ ଦଳକୁ କରିବାକୁ ପଡିବ ଅପେକ୍ଷା । ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଇଟାଲୀ ଗସ୍ତରେ ଯାଉଥିବାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିଳମ୍ବିତ ହେବ ଆଲୋଚନା । ନେତୃତ୍ୱ ପରିବର୍ତ୍ତନ ଦାବୀରେ ଆର୍ ୟା ପାର୍ ଲଢେଇ ପାଇଁ ନିଷ୍ପତ୍ତି ନେଇଥିଲା ବିଧାୟକ ଦଳ । ରାହୁଲଙ୍କୁ ଶେଷ ଥର ପାଇଁ ଭେଟି ଦାବୀ ଜଣାଇବା ପରେ ଚରମ ପଦକ୍ଷେପ ନେବେ ବୋଲି ବିବୃତ୍ତି ମଧ୍ୟ ଦେଇଥିଲେ ବିଧାୟକ । ତେଣୁ ବର୍ତ୍ତମାନ କେବଳ ଅପେକ୍ଷା କରିବା ଛଡା ବିଧାୟକ ଦଳ ପାଇଁ ଆଉ କିଛି ବାଟ ନାହିଁ ।
ସେପଟେ ରାହୁଲଙ୍କ ଇଟାଲୀ ଗସ୍ତ ପ୍ରସାଦ ଶିବିରରେ ଆସ୍ୱସ୍ତି ଆଣିଛି । ସମୟ ଉପରେ କଥା ଛାଡି ସଂଗଠନ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ ନେତା । ପିସିସି ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ଦେଇଥିଲା କଂଗ୍ରେସ ବିଧାୟକ ଦଳ । ଏକ ସପ୍ତାହ ମଧ୍ୟରେ ରାହୁଲଙ୍କୁ ଭେଟି ନେତୃତ୍ୱ ବଦଳେଇବାକୁ ଚରମ ବାଣୀ ଶୁଣେଇବାକୁ ପ୍ରସ୍ତୁତ ମଧ୍ୟ ହୋଇଥିଲା । କିନ୍ତୁ ରାହୁଲଙ୍କ ବିଦେଶ ଗସ୍ତ ଏବେ ନେତୃତ୍ୱ ପରିବର୍ତ୍ତନର ସସପେନ୍ସ ବଢାଇଛି ।