କେବେ କଂଗ୍ରେସର ଗଡ ଥିଲା, ଆଜି ଅମାନତ ହରାଇଲା ! ବିଜେପୁରରେ କଂଗ୍ରେସର କାହିଁକି ହେଲା ବିପର୍ଯ୍ୟୟ

59

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ବିଜେପୁର ଉପନିର୍ବାଚନର ଫଳାଫଳ । ବିଜେଡି ପ୍ରାର୍ଥୀ ରୀତା ସାହୁ ୪୧୯୩୩ଟି ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରି ରେକର୍ଡ କରିଛନ୍ତି । ବିଜେଡି ୧୦୨୮୭୧ ଭୋଟ ପାଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ବିଜେପି ୬୦୯୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନକୁ ଲମ୍ଫ ଦେଇଛି । ୨୦୧୯ ପୂର୍ବରୁ ବିଜେପୁର ଉପନିର୍ବାଚନ ସେମିଫାଇନାଲ ସବୁ ଦଳ ପାଇଁ ସେମିଫାଇନାଲ ସଦୃଶ ଥିଲା । କିନ୍ତୁ ଏହାର ଫଳାଫଳ କଂଗ୍ରେସ ଦଳକୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ କରିଛି । ସିଧାସଳଖ ଭାବେ କହିବାକୁ ଗଲେ ବିଜେପୁର ଉପନିର୍ବାଚନ କଂଗ୍ରେସ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ମାତ୍ର ୧୦୨୭୪ଟି ଭୋଟ ପାଇ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିବା ସହ ଅମାନତ ହରାଇଛି ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ।

bijepurବିଜେପୁର ଉପନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ଜବରଦସ୍ତ ଝଟକା ଦେଇଛି । ନିଜ ଗଡ ରକ୍ଷା କରିବାରେ ସକ୍ଷମ ହୋଇପାରି ନାହିଁ କଂଗ୍ରେସ । ୨୦୦୪ ମସିହାରୁ ଲଗାତାର ତିନି ତିନି ଥର ବିଜେପୁରରେ କଂଗ୍ରେସ ବିଜୟ ହୋଇଥିଲେ ସୁଦ୍ଧା ଚଳିତ ଉପନିର୍ବାଚନରେ ମାଟି କାମୁଡିଛି କଂଗ୍ରେସ । ଯାହା କଂଗ୍ରେସ ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି । ସବୁଠାରୁ ବଡ କଥା ହେଲା ଗତ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ୩୨.୧୫ ପ୍ରତିଶତ ଭୋଟ ପାଇଥିବା ବେଳେ ଚଳିତ ଉପନିର୍ବାଚନରେ ଏହା ୫.୬୫ ପ୍ରତିଶତକୁ ଖସି ଆସିଛି । ଏହାସହ ଦଳ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିବା ସହ ଅମାନତ ହରାଇଛି । ଗାଈସିଲଟ ବ୍ଲକରେ ପ୍ରଣୟଙ୍କର ବଡ ଭୋଟ ବ୍ୟାଙ୍କ ଥିଲେ ମଧ୍ୟ ଏହା କଂଗ୍ରେସର ଅମାନତ ରକ୍ଷା କରିବା ପାଇଁ ସକ୍ଷମ ହୋଇପାରିନାହିଁ । ସାଧାରଣତଃ ଜଣେ ପ୍ରାର୍ଥୀ ମୋଟ ମତଦାନର ୬ ଭାଗରୁ ୧ ଭାଗ ହାସଲ କରି ନ ପାରିଲେ ଅମାନତ ହରାଇଥାନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ଚଳିତ ଉପନିର୍ବାଚନରେ ରେକର୍ଡ ୮୨.୧୭ ପ୍ରତିଶତ ମତଦାନ ହୋଇଥିଲା ଅଥାର୍ତ ମୋଟ ୧, ୮୧, ୭୧୬ ଜଣ ଭୋଟର ମତଦାନ କରିଥିଲେ । ତେଣୁ ପାଖାପାଖି ୩୦,୨୮୬ ଭୋଟ ହାତେଇଥିଲେ କଂଗ୍ରେସ ଅମାନତ ହାରଇବାରୁ ବଞ୍ଚିତ ହୋଇ ପାରିଥାନ୍ତା । କିନ୍ତୁ ମାତ୍ର ୫.୬୫ ପ୍ରତିଶତ ଭୋଟ ହାସଲ କରି ଅମାନତ ହରାଇବା ସହ ବିଜେପୁର ଗଡ ମଧ୍ୟ ହରାଇଥିଲା ।

ବିଜେପୁର ଉପନିର୍ବାଚନର ଫଳାଫଳ ସିଧାସଳଖ ରାଜ୍ୟ କଂଗ୍ରେସ ନେତୃତ୍ୱ ଉପରେ ପଡିବ ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ଫଳାଫଳ କଂଗ୍ରେସର ଗଡକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି । ରାଜ୍ୟ କଂଗେସର ନେତୃବୃନ୍ଦଙ୍କ ମଧ୍ୟରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳ କଂଗ୍ରେସ ପରାଜୟର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ । ଏହାର ଝଲକ ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ବିଜେପୁର ପାଇଁ ପ୍ରଥମରୁ ହିଁ ବ୍ୟାକଫୁଟରେ ରହିଥିଲା କଂଗ୍ରେସ । ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଜେଡି ଓ ବିଜେପି ଠାରୁ ପଛରେ ରହିଥିଲା କଂଗ୍ରେସ । ଏପରିକି ରାଜ୍ୟ ନେତୃବୃନ୍ଦ ଯେଉଁଭଳି ଭାବେ ପ୍ରଣୟଙ୍କୁ ସାହାର୍ଯ୍ୟ କରିବା କଥା ତାହା ମଧ୍ୟ ଦେଖାଯାଇନଥିଲା । ପ୍ରଣୟଙ୍କୁ ପ୍ରାର୍ଥୀ କରିବାକୁ ନେଇ ମଧ୍ୟ କଂଗ୍ରେସ ଦଳରେ କେଁ ରହିଥିଲା । ଯାହାର ପ୍ରଭାବ ସିଧାସଳଖ ବିଜେପୁର ନିର୍ବାଚନ ଉପରେ ପଡିଥିଲା । ପିସିସି ମଧ୍ୟ ପ୍ରଣୟଙ୍କୁ ନେଇ କୌଣସି ଷ୍ଟ୍ରାଟେଜୀ କରିଥିବା ଭଳି ଲାଗୁନଥିଲା । ଏପରିକି ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ କଂଗ୍ରେସର ବିଜୟ ସମ୍ଭାବନା ନାହିଁ ବୋଲି ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ମତ ରଖିଥିଲେ । ଏସବୁ ତମାମ ଦିଗକୁ ନଜରରେ ରଖିଲେ ଦଳୀୟ ଗୋଷ୍ଠୀ କନ୍ଦଳ ହିଁ କଂଗ୍ରେସ ପରାଜୟ ପଛର ବଡ କାରଣ ବୋଲି ଜଣାପଡିଛି ।

ବିଜେପୁର ଉପନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଦଳ ସମୀକ୍ଷା କରିବା ଆବଶ୍ୟକ । ଏହି ଉପନିର୍ବାଚନ କଂଗ୍ରେସ ଦଳକୁ ପୁଣିଥରେ ଏକ ନୂଆ ବାର୍ତ୍ତା ଦେଇଛି । ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ଯଦି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଏଭଳି ଲାଗି ରୁହେ ତେବେ ଏହା ଦଳକୁ ମହଙ୍ଗା ପଡିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି ।