ସରିଲା ଲୁଚକାଳି ଖେଳ, ରାତି ସାରା ଚେଇଁଲେ ଚିଦାମ୍ବରମ୍ । ଆଜି କୋର୍ଟରେ ହେବେ ହାଜର

ସିବିଆଇ ପଞ୍ଝାରେ ଚିଦାମ୍ବରମ୍ ।

769

କନକ ବ୍ୟୁରୋ: ସିବିଆଇ ପଞ୍ଝାରେ ଚିଦାମ୍ବରମ୍ । ଆଜି ଚିଦାମ୍ବରମଙ୍କୁ କୋର୍ଟରେ ହାଜର କରିବ ସିବିଆଇ । ଗତକାଲି ରାତିରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ । ତେବେ ମିଳିଥିବା ସୂଚନା ଅନୁଯାୟୀ କାଲି ରାତି ତମାମ୍ ଚିଦାମ୍ବରମଙ୍କୁ ପଚରାଉଚରା ଚାଲିଥିଲା । ଆଉ ଆଜି ଚିଦାମ୍ବରମଙ୍କୁ କୋର୍ଟରେ ହାଜର କରିବ ସିବିଆଇ ।

ଚିଦାମ୍ୱରମଙ୍କର ଦୀର୍ଘ ୨୭ ଘଂଟାର ଲୁଚକାଳି ଖେଳ ସରିଲା । ଶେଷରେ ରାତି ଅଧରେ ଚିଦାମ୍ବରମଙ୍କୁ ଘରୁ ଗିରଫ କଲା ସିବିଆଇ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କର ଗତକାଲି ରାତି କଟିଛି ସିବିଆଇ ମୁଖ୍ୟାଳୟରେ । ସାରା ରାତି ତାଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ଆଜି ତାଙ୍କୁ ସିବିଆଇ କୋର୍ଟରେ ହାଜର କରିବ । ଗତକାଲି ରାତି ପ୍ରାୟ ୧୦ଟାରେ ଚିଦାମ୍ୱରମଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ଗିରଫ କରିବା ପରେ ସିବିଆଇ ମୁଖ୍ୟାଳୟକୁ ଆଣିଥିଲା ସିବିଆଇ ଟିମ୍ । ଲୁକ୍ ଆଉଟ୍ ନୋଟିସ ଜାରି ହେବା ପରେ ମଙ୍ଗଳବାର ରାତିରୁ ତାଙ୍କର କୌଣସି ଖବର ନଥିଲା । ଫଳରେ ମଙ୍ଗଳବାର ମଧ୍ୟରାତ୍ରିରେ ସିବିଆଇ ତାଙ୍କ ଘର ବାହାରେ ନୋଟିସ ମାରିଥିଲା । ଦୀର୍ଘ ୨୭ ଘଂଟା ଧରି ଗାୟବ ରହିବା ପରେ ବୁଧବାର ରାତି ପ୍ରାୟ ୮ଟାରେ କଂଗ୍ରେସ ମୁଖ୍ୟାଳୟରେ ହଠାତ୍ ଦେଖିବାକୁ ମିଳିଲା ଚିଦାମ୍ବରମଙ୍କୁ । ସେ ସେଠାରେ ପ୍ରେସମିଟ୍ କରି ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଖବର ପାଇ ଚିଦାମ୍ବରମଙ୍କୁ ଧରିବାକୁ ପହଁଚିଥିଲା ସିବିଆଇ ଟିମ୍ । ହେଲେ ସିବିଆଇକୁ ଚକମା ଦେଇ କଂଗ୍ରେସ ଭବନରୁ ଘରକୁ ପଳାଇଥିଲେ ଚିଦାମ୍ବରମ । ଆଉ ତାଙ୍କର ପଛରେ ପଡିଯାଇଥିଲା ସିବିଆଇ ଟିମ୍ । ଚିଦାମ୍ବରମଙ୍କ ଜୋରବାଗ୍ ସ୍ଥିତ ବାସଭବନର ଗେଟ୍ ଖୋଲାନଯିବାରୁ ସିବିଆଇ ଟିମ୍ , ଚିଦାମ୍ବରମଙ୍କ କାନ୍ଥ ଡେଇଁ ଘର ଭିତରକୁ ପଶିଥିଲା । କିଛି ସମୟ ପଚରାଉଚରା କରିବା ପରେ ତାଙ୍କୁ ଉଠାଇ ଆଣିଥିଲା । ଆଇଏନଏକ୍ସ ମିଡିଆ ମାମଲାରେ ମନି ଲଣ୍ଡ୍ରିଂର ଅଭିଯୋଗ ରହିଛି ଚିଦାମ୍ୱରମଙ୍କ ନାଁରେ । ସେପଟେ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେବା ସହ ଆସନ୍ତା ୨୩ ତାରିଖରେ ପରବର୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଥିବାରୁ ଶୁକ୍ରବାର ଆଗରୁ ଚିଦାମ୍ୱରମଙ୍କୁ ବେଲ୍ ମିଳିବା କଷ୍ଟକର । ଚିଦାମ୍ବରମଙ୍କ ଗିରଫଦାରୀ ନେଇ ପୁଅ କାର୍ତି କହିଛନ୍ତି, ତାଙ୍କ ବାପାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି । ପ୍ରତିଶୋଧ ନେଉଛନ୍ତି ମୋଦି ସରକାର ।