କଂଗ୍ରେସ ଟିକେଟ ପାଇଁ ବାୟୋଡାଟା ଧରି ଲମ୍ବା ଲାଇନରେ ଛିଡା ହେଲେ ନେତା? ଜାଣନ୍ତୁ ସାକ୍ଷାତକାରରେ ନେତାଙ୍କୁ କେଉଁ ପ୍ରଶ୍ନ ପଚାରିଲେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ
କନକ ବ୍ୟୁରୋ : ବିଜେଡି ନେତାମାନେ ଟିକେଟ୍ ପାଇଁ ଲବି କରୁଥିବା ବେଳେ ଏପଟେ କଂଗ୍ରେସ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ କଂଗ୍ରେସ ଭବନରେ ବାୟୋଡାଟା ଧରି ପହଂଚିଥିଲେ କଟକ ଏବଂ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଟିକେଟ୍ ଆଶାୟୀ । ଯାହାଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ । ଏପଟେ ଚୁଡାନ୍ତ ତାଲିକା ପ୍ରକାଶ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ଡେଡ୍ଲାଇନ୍ ସ୍ଥିର କରିସାରିଥିବାରୁ ଏବେ ଜୋରଦାର ହୋଇଛି କଂଗ୍ରେସର ଟିକେଟ୍ କସରତ ।
ହାତରେ ମାତ୍ର ୧୫ ଦିନ ସମୟ, ଫେବୃୟାରୀ ଶେଷ ସୁଦ୍ଧା ଚୁଡାନ୍ତ ହେବ କଂଗ୍ରେସ ପ୍ରାର୍ଥୀ ତାଲିକା । ସେଇଥି ପାଇଁ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକରେ ଚାଲିଛି ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷତକାର । ଆଉ ଏହି ସାକ୍ଷତକାର ସାମ୍ନା କରିବାକୁ ବାୟୋଡାଟା ଧରି କଂଗ୍ରେସ ଭବନରେ ପହଂଚିଛନ୍ତି ଟିକେଟ୍ ଆଶାୟୀ । ପ୍ରଥମ ଦିନରେ ଭୁବନେଶ୍ୱର ଏବଂ କଟକ ଲୋକସଭା କ୍ଷେତ୍ରର ୧୪ଟି ବିଧାନସଭା ଆସନ ଏବଂ ୨ଟି ଲୋକସଭା ସିଟ୍ର ଆଶାୟୀ ପ୍ରାର୍ଥୀଙ୍କୁ ଭେଟି ୱାନ୍-ଟୁ-ୱାନ୍ ଆଲୋଚନା କରିଛନ୍ତି ସ୍କ୍ରିନଂ କମିଟି ଅଧ୍ୟକ୍ଷ ।
କଂଗ୍ରେସର ଟିକେଟ୍ ଆଶାୟୀଙ୍କୁ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପଚାରିଥିବା ପ୍ରଶ୍ନ କିଛି ଏଭଳି ଥିଲା ।
– ଟିକେଟ୍ ପାଇବାକୁ ଆପଣ କାହିଁକି ନିଜକୁ ଯୋଗ୍ୟ ମନେ କରୁଛନ୍ତି?
– ଗତ ନିର୍ବାଚନରେ ଆପଣ କେତେ ବ୍ୟବଧାନରେ ପରାଜିତ ହୋଇଥିଲେ?
– କଂଗ୍ରେସ ସଂଗଠନକୁ ସଜାଡିବାରେ ଆପଣଙ୍କ ଭୂମିକା କ’ଣ?
– ଆପଣ କେଉଁ ଲୋକସଭା କିମ୍ବା ବିଧାନସଭା କ୍ଷେତ୍ରର ପାଇଁ ଆଶାୟୀ?
ଦଳୀୟ ସଂଗଠନ ସହ ଜଡ଼ିତ ଥିବା ଏବଂ ବିଜୟୀ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରକ୍ରିୟାରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବା ପାଇଁ ଭରପୁର ଉଦ୍ୟମ କରିଛନ୍ତି ଆଶାୟୀ ପ୍ରାର୍ଥୀ । ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟାର ପ୍ରଥମ ଦିନରେ କଟକ ଏବଂ ଭୁବନେଶ୍ୱର ଲୋକସଭା ଏବଂ ବିଧାନସଭାର ଟିକେଟ୍ ଆଶାୟୀଙ୍କ ସହ ଆଲୋଚନା ହୋଇଛି । ଆସନ୍ତାକାଲି ପୁରୀ, ଜଗତସିଂପୁର ଏବଂ ୧୫ ତାରିଖ କେନ୍ଦ୍ରାପଡ଼ା ଏବଂ ଢ଼େଙ୍କାନାଳ ବିଧାନସଭା ଏବଂ ଲୋକସଭାର ଆଶାୟୀ ପ୍ରାର୍ଥୀଙ୍କୁ ଭେଟିବେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ । ସେପଟେ ଦକ୍ଷିଣ ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କ ସହ ମଧ୍ୟ ଚର୍ଚ୍ଚା ଜାରି ରଖିଛନ୍ତି ସ୍କ୍ରିନିଂ କମିଟି ସଦସ୍ୟ ।