ଦାମ ରାଉତଙ୍କ ବିରୋଧରେ କଂଗ୍ରେସ ନେତା ବାପି ସର୍କେଲଙ୍କ ସାଂଘାତିକ ଅଭିଯୋଗ: କହିଲେ, ଟିଟୋର ସାର୍ପ ସୁଟର ବାପୁ ପରିଡା ସହ ଦାମଙ୍କ ରହିଛି ସଂପର୍କ

73

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାପୁ ପରିଡା ସହ ସମ୍ପର୍କକୁ ନେଇ ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ବାପି ସର୍କେଲ ଅଭିଯୋଗ କରି କହିଛନ୍ତି ପାରାଦ୍ୱୀପ ଅପରାଧ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ହେଉଛନ୍ତି ଦାମବାବୁ । ଆଉ ଏହି ସିଣ୍ଡିକେଟକୁ କାର୍ଯ୍ୟକାରୀ କରୁଥିଲେ ତାଙ୍କ ପୁଅ ସମ୍ବିତ ରାଉତ୍ । ଏହା ସହିତ ପ୍ରେସମିଟରେ କହିଛନ୍ତି ଦାମ ବାବୁ ଓ ବାପିଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହୋଇଯିବ ।

ସେପଟେ ବାପି ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣ ରାଉତ୍ । ସେ କହିଛନ୍ତି ଯଦି ପ୍ରମାଣ ମିଳିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଟିଟୋ ଲିଙ୍କ ମାମଲାରେ ଅପରାଧୀ ବାପୁ ପରିଡାକୁ ଗିରଫ କରିଛି କ୍ରାଇମବ୍ରାଂଚର ଏସଟିଏଫ୍ ।

ଉଲ୍ଲେଖଥାଉ କି, ଗତ ୨୮ ତାରିଖରେ ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ ତଥା ମୁଖ୍ୟ ସହଯୋଗୀ ବାପୁ ପରିଡାକୁ ଗିରଫ କରିଥିଲା ଏସଟିଏଫ । ଟିଟୋ ଲିଙ୍କରେ ବାପୁ ପରିଡାକୁ ବାରମ୍ବାର ଏସଟିଏଫ ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ବାପୁ ନାଁରେ ମୋଟ ୨୮ଟି ମାମଲା ରହିଛି । ବିଶେଷ କରି ଟିଟୋର ପାରାଦୀପ ଏମ୍ପାୟାରକୁ ଜଗୁଥିଲା ବାପୁ । ଟିଟୋ ପାଇଁ ହତ୍ୟା , ହତ୍ୟା ଉଦ୍ୟମ, ଗୁଳିମାଡ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ଡକାୟତି, ବନ୍ଧୁକ ମୁନରେ ଦାଦାବଟି ଆଦାୟ ଓ ଅପହରଣ ଭଳି ସାଂଘାତିକ ମାମଲାରେ ସଂପୃକ୍ତ ଥିବା ନେଇ ଏସଟିଏଫ ସ୍ପଷ୍ଟ କରିଥିଲା । ତା ନାଁରେ ୩୮୭, ୫୦୬, ଓ ୧୨୦(ବି), ୩୪, ୨୫ ଓ ୨୭ ଦଫା ଲାଗିଛି । କୁଜଙ୍ଗ ଥାନାରେ ୨ଟି, ଚାଉଳିଆଗଂଜରେ ଗୋଟିଏ ଏବଂ ପାରାଦୀପରେ ଏକାଧିକ ମାମଲା ରହିଛି ।