ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା: ବ୍ୟାଙ୍କରେ ଥିବା ଲୋକଙ୍କ ଟଙ୍କା ସୁରକ୍ଷିତ
କନକ ବ୍ୟୁରୋ: ବ୍ୟାଙ୍କରେ ଲୋକମାନେ ରଖିଥିବା ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ । ଗ୍ରାହକଙ୍କ ସ୍ୱାର୍ଥ ପ୍ରତି କୌଣସି ପ୍ରକାରର ବିପଦ ସୃଷ୍ଟି ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଶିଳ୍ପ ସଂଘ ଫିକି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଆର୍ଥିକ ନିୟାମକ ଏବଂ ଜମା ବୀମା (ଏଫଆରଡିଆଇ) ବିଲକୁ ନେଇ ଭ୍ରମାତ୍ମକ ତଥ୍ୟ ପ୍ରଚାର କରାଯାଉଛି । କିଛି ନିର୍ଦିଷ୍ଟ ବର୍ଗର ଲୋକ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋସିଆଲ୍ ମିଡିଆରେ ଏହି ବିଲକୁ ନେଇ ଯେଉଁ ସବୁ ଚର୍ଚା ହେଉଛି ବାସ୍ତବତା କିନ୍ତୁ ତାହାର ସମ୍ପୂର୍ଣ୍ଣ ଓଲଟା। ଆମେ ଜମାକାରୀଙ୍କ ସ୍ୱାର୍ଥ ଏବଂ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିଛି ଦିନ ହେଲାଣି ଚର୍ଚା ଜୋର ଧରିଛି ଯେ ଏଫଆରଡିଆଇ ବିଲ୍ ଜରିଆରେ ସରକାର ଦୁର୍ବଳ ବ୍ୟାଙ୍କଗୁଡ଼ିକ କିଛି ବିଶେଷ ଅଧିକାର ପ୍ରଦାନ କରିବେ ଯାହା ବଳରେ ସେମାନେ ଜମାକାରୀଙ୍କ ଟଙ୍କାକୁ ବ୍ୟବହାର କରି ସଙ୍କଟମୟ ସ୍ଥିତିରୁ ମୁକୁଳିବାକୁ ପ୍ରୟାସ କରିବେ। କୌଣସି ବ୍ୟାଙ୍କ ଏଭଳି କଲେ ଜମାକାରୀ ଉକ୍ତ ବ୍ୟାଙ୍କରେ ରଖିଥିବା ନିଜ ଟଙ୍କା ସେହି ସମୟରେ ଉଠାଇପାରିବେ ନାହିଁ। ଯଦି ବ୍ୟାଙ୍କ ବୁଡ଼ିଯିବ ତେବେ ଜମାକାରୀଙ୍କ ଟଙ୍କା ମଧ୍ୟ ବୁଡ଼ିଯିବ ବୋଲି ଚର୍ଚା ହେଉଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉପା ସରକାର ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଅନାଦେୟ ଋଣ ବା ଏନପିଏ ସମସ୍ୟା ପାଇଁ ସେ ଉପା ସରକାରଙ୍କୁ ଦାୟୀ କରିଛନ୍ତି । ରାଜ୍ୟଗୋଷ୍ଠୀ ଦୁର୍ନୀତି, କୋଇଲା ଦୁର୍ନୀତି, ୨ଜି ଦୁର୍ନୀତି ଏବଂ ସବୁଠୁ ବଡ଼ ଦୁର୍ନୀତି ହେଲା ବ୍ୟାଙ୍କ ଦୁର୍ନୀତି । ଏ ସବୁ ଦୁର୍ନୀତି ଉପା ସରକାରଙ୍କ ଅମଳରେ ହୋଇଥିଲା ବୋଲି ସେ କହିଛନ୍ତି ।
ପୂର୍ବ ସରକାର ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକାଇ ପ୍ରଭାବଶାଳୀ ଲୋକଙ୍କୁ ଋଣ ଦେବାକୁ ବାଧ୍ୟ କରିଥିଲା । ଯାହାର ପରିଣାମ ସ୍ୱରୂପ ପାହାଡ଼ ସଦୃଶ ଏନପିଏ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ୧୯୨୭ରେ ପ୍ରତିଷ୍ଠା ହୋଇଥିବା ଫିକି ଜରିଆରେ ଦେଶର ସବୁ ବ୍ୟବସାୟୀ କିଭଳି ସେହି ସମୟରେ ବ୍ରିଟିସ୍ ସରକାର ଗଠନ କରିଥିବା ସାଇମନ୍ କମିସନ ବିରୋଧରେ କିଭଳି ଆନ୍ଦୋଳନ କରିଥିଲେ ତାହା ସେ ଉପସ୍ଥିତ ଲୋକମାନଙ୍କୁ ମନେ ପକାଇ ଦେଇଥିଲେ ।