ଡିଜିସିଏର କ୍ଲିନଚିଟ୍ ପରେ ବି ବୈଜୟନ୍ତଙ୍କ ହେଲିକପ୍ଟର ବିବାଦ ତୁଟୁନି । ପୁଣି ରିପୋର୍ଟ ମାଗିଲା ପୁରୀ ପୋଲିସ

35

କନକ ବ୍ୟୁରୋ : ଚିଲିକା ଉପରେ କମ ଉଚ୍ଚତାରେ ହେଲିକପ୍ଟର ଉଡାଣ ମାମଲାରେ ଫଶିଥିବା ବୈଜୟନ୍ତଙ୍କ ହେଲିକପ୍ଟରକୁ କ୍ଲିନଚିଟ୍ ଦେଇଛନ୍ତି ଡିଜିସିଏ । କିନ୍ତୁ ଏହାପରେ ମଧ୍ୟ ପୁଣିଥରେ ଡିଜିସିଏଙ୍କୁ ରିପୋର୍ଟ ମାଗିଛି ପୁରୀ ପୋଲିସ । କାରଣ ଡିଜିସିଏ ଗତକାଲି ଦେଇଥିବା ରିପୋର୍ଟରେ କେବଳ ହେଲିକପ୍ଟର ଅବତରଣକୁ ନେଇ ତଥ୍ୟ ରହିଛି । କିନ୍ତୁ ହେଲିକପ୍ଟରଟି ନିଦ୍ଦିଷ୍ଟ ଭାବେ କେତେ ଉଚ୍ଚତାରେ ଉଡୁଥିଲା ସେ ସର୍ମ୍ପକରେ କୌଣସି ତଥ୍ୟ ଉଲ୍ଲେଖ ନାହିଁ । ତେଣୁ ଏହି ତଥ୍ୟ ଡିଜିସିଏଙ୍କୁ ମାଗିଛି ପୁରୀ ପୋଲିସ । ତେବେ ହ୍ୟାଙ୍ଗରରେ ସିଲ ହୋଇଥିବା ୩ଟି ହେଲିକପ୍ଟର ମଧ୍ୟରୁ ଯେଉଁ ଗୋଟିଏ ହେଲିକପ୍ଟର ଚିଲିକା ଉପରେ ଉଡୁଥିବାର ଅଭିଯୋଗ ହୋଇଥିଲା ତାହା ରଖାଯିବା ସହ ବାକି ଦୁଇଟି ହେଲିକପ୍ଟରକୁ ଛାଡିବାକୁ ପ୍ରକିୟା ଆରମ୍ଭ ହୋଇଥିବା କହିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ ।

ତେବେ ଏସବୁ ଭିତରେ ଡିଜିସିଏରୁ କ୍ଲିନଚିଟ୍ ପରେ ବୈଜୟନ୍ତଙ୍କ ମାମଲାରେ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା କଂଗ୍ରେସ କହିଛି । ଆଇନ ଠାରୁ ଉପରେ କେହି ନୁହଁନ୍ତି । ସାଧାରଣ ଜନତା ଯେତେବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଦେଇ ଗତି କରୁଛି ସେତେବେଳେ ପୋଲିସ କିଛି କରିପାରୁନି । କିନ୍ତୁ ଏପରି କାମରେ ପୋଲିସ ଶତ ସିଂହ ବଳ ନେଇ କାମ କରୁଛି ବୋଲି କହିଛି କଂଗ୍ରେସ ।

ସେହିଭଳି ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି, ରାଜ୍ୟ ସରକାର ଏତେ ମାତ୍ରାରେ ପ୍ରତିଶୋଧପରାୟଣ ହେବା ଠିକ୍ ନୁହେଁ । ଦଳୀୟ କନ୍ଦଳ ପାଇଁ ସରକାରୀ କଳର ଅପବ୍ୟବହାର କରି ଏପରି କରିବାର ଆବଶ୍ୟକତା ନଥିଲା । ତେଣୁ ଭୁଲ ନଥାଇ କାହାକୁ ଦଣ୍ଡିତ କରିବାର ଅଭ୍ୟାସ ରାଜ୍ୟ ସରକାର ଛାଡନ୍ତୁ ବୋଲି କହିଛି ବିଜେପି । ଅନ୍ୟପଟେ ବିଜେଡି ସଫେଇ ଦେଇ କହିଛି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।