ଗୋବର୍ଦ୍ଧନଙ୍କ ଜୀବନ ପରିବର୍ତ୍ତନ କଲା ପଦ୍ମଶ୍ରୀ ସମ୍ମାନ : ସୋସିଆଲ ମିଡିଆରେ ଶାଢୀ କାରବାର, ହ୍ୱାଟ୍ସଆପରେ ବିଦେଶରୁ ଆସୁଛି ଅର୍ଡର

72

କନକ ବ୍ୟୁରୋ : ପଦ୍ମଶ୍ରୀ ଦେଲା ନୁଆ ପରିଚୟ, ବଦଳିଲା ଜୀବନ ଶୈଳୀ । ବୁଣାକାର ଜୀବନକୁ ପରିବର୍ତ୍ତନ କଲା ଡ଼ିଜିଟାଲ ଦୁନିଆ । ଅପାଠୁଆକୁ ପାଠୁଆ କଲା ହ୍ୱାଟସଆପ । ଦେଶ ବିଦେଶରେ ପରିଚୟ ସୃଷ୍ଟି ହେବା ସହ ବଢ଼ିଲା ବ୍ୟାପାର ।

କୋରାପୁଟ କୋଟପାଡ଼ର ମିରିଗାନୀ ଶାଢ଼ିକୁ ମିଳିଛି ଜାତୀୟ ମାନ୍ୟତା । ବୁଣାକାର ଗୋବର୍ଦ୍ଧନ ପନିକାଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଅସ୍ତ ହୋଇ ଯାଉଥିବା ବୁଣାକାର ଜୀବନରେ ଉଦୀୟମାନ ତାରକା ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା । ଆଦିବାସୀ ଅଧ୍ୟୁଷିତ ଅଚଂଳର ଏହି ବୁଣାକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବା ପରେ ବଦଳିଯାଇଛି ତାଙ୍କ ଦୁନିଆ । ଆମେରିକା ଯାଉଛି ପନିକାଙ୍କ ହାତ ତିଆରି ଲୁଗା । କୌଳିକ ବୃତ୍ତିରୁ ଓହରି ଯାଉଥିବା ବୁଣାକାର ପରିବାର ପୁଣି କୁଳବେଉସା ସହ ଯୋଡ଼ିବା କ୍ଷେତ୍ରରେ ପ୍ରେରଣା ସାଜିଛନ୍ତି ଗୋବର୍ଦ୍ଧନ ।

 

କୋଟପାଡ଼ର ମିରିଗାନି ଶାଢ଼ିର ଚାହିଦା ଏବେ ଦେଶ ବାହାରେ ମଧ୍ୟ ବେଶ ବଢ଼ିଛି । ପଦ୍ମଶ୍ରୀ ସମ୍ମାନ ପାଇବା ପରେ ସୋସିଆଲ ମିଡିଆରେ ମିରିଗାନି ଶାଢିର ପ୍ରଚାର ପ୍ରସାର କରୁଛନ୍ତି ପଦ୍ମଶ୍ରୀ ଗୋବର୍ଦ୍ଧନ । ଦେଶ ବିଦେଶରୁ ମୋବାଇଲର ହ୍ୱାଟସଆପରେ ଗ୍ରାହକ ପଠାଉଛନ୍ତି ନିଜ ପସନ୍ଦ ଶାଢ଼ିର ଡ଼ିଜାଇନ । ଆଉ ସେହି ଡ଼ିଜାଇନକୁ ଦେଖି ଲୁଗା ତିଆରି କରି କୋରିୟର ମାଧ୍ୟମରେ ଗ୍ରାହକଙ୍କ ନିକଟକୁ ପଠାଉଛନ୍ତି । ଆଉ ଅନଲାଇନ୍ ପାଉଣା ପାଉଛନ୍ତି ଗୋବର୍ଦ୍ଧନ ପନିକା ।

ବର୍ତ୍ତମାନ ୪ ପ୍ରକାର ନୂଆ ଡ଼ିଜାଇନର ଶାଢ଼ି ପ୍ରସ୍ତୁତ କରିଛନ୍ତି ପନିକା । ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ହୁଅନ୍ତୁ କି ପ୍ରମୁଖ ରାଜନୈତିକ ଦଳର ନେତ୍ରୀ, ସମସ୍ତେ ପନିକାଙ୍କ ଶାଢ଼ିକୁ ବେଶ ପସନ୍ଦ କରିବା ସହ ଅର୍ଡ଼ର କରି କିଣି ନେଉଛନ୍ତି ।