ବିରୋଧୀଙ୍କ ଜିରୋ କାଜୁଆଲିଟି ସମାଲୋଚନାକୁ ମୁଖ୍ୟମନ୍ତ୍ରୀଙ୍କ ଜବାବ୍ । ନବୀନ କହିଲେ ସେମାନେ ଅଭିଯୋଗ କରନ୍ତୁ, ଆମେ କାମ କରିବୁ ।

34

କନକ ବ୍ୟୁରୋ : ତିତଲି ପରେ ତେଜିଲା ରାଜନୀତି । ରାଜ୍ୟରେ ତିତଲି ଘଟାଇଥିବା ବ୍ୟାପକ ପ୍ରଭାବ ଏବଂ କ୍ଷୟକ୍ଷତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ଭାରତୀୟ ଜନତା ପାର୍ଟି । ସେପଟେ ବିଜେପିର ଅଭିଯୋଗ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚ୍ଚିବାଳୟରେ ସମୀକ୍ଷା ବୈଠକ ପରେ ତିତଲି ପ୍ରଭାବିତ ଅଞ୍ଚଳ ଗୁଡିକ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବିରୋଧୀ ବିଜେପି କରିଥିବା ଜିରୋ କାଜୁଆଲିଟି ସମାଲୋଚନାର ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି ବିରୋଧୀ ସମାଲୋଚନା ଜାରି ରଖିଥାନ୍ତୁ । ରାଜ୍ୟ ସରକାର ରିଲିଫ୍ ଓ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

‘ଜିରୋ କାଜୁଆଲିଟି’କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିଥିଲା । ଆନେକ କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାର ପହଁଚି ପାରିନଥିବା ବିଜେପି କହିଥିଲା । ଏମିତି କିଛି ଜାଗାରେ ମୃତଦେହ ଭାସୁଥିବାର ପ୍ରମାଣ ଥାଇ ମଧ୍ୟ ଉଦ୍ଧାର ହୋଇପାରିଲେ ନାହିଁ ବୋଲି ବିଜେପି ଅଭିଯୋଗ କରିଥିଲା । ଲୋକମାନଙ୍କୁ ଠିକ୍ ଭାବରେ ସ୍ଥାନାନ୍ତର କରାଯାଇ ନଥିବା ଅଭିଯୋଗ କରିଥିଲା ବିଜେପି । ଏହା ଦର୍ଶାଉଛି ଯେ ‘ଜିରୋ କାଜୁଆଲିଟି’ ନାଁରେ ଡ଼ାହା ମିଛ କହୁଛନ୍ତି ରାଜ୍ୟ ସରକାର  । ତେଣୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଇସ୍ତଫା ଦିଅନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଦାବି କରିଥିଲେ । ତେବେ ବିଜେପିର ଏଭଳି ସମାଲୋଚନା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।