ଦକ୍ଷିଣରେ ଦମ ଦେଖାଇବ ବିଜେଡି । ନବରଙ୍ଗପୁର, କୋରାପୁଟରେ ଆଜି ନବୀନଙ୍କ ସମାବେଶ

119

କନକ ବ୍ୟୁରୋ: ନବରଂଗପୁରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଦିନ ୧୧ଟା ୫୫ରେ ଉମରକୋଟରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ୧୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶ । ବିଜୁ ଯୁବ ବାହିନୀ ପକ୍ଷରୁ ଆଂଚଳିକ ସମାବେଶ ରଖାଯାଇଥିବା ବେଳେ ଏଥିରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜୟପୁର ଏକମ୍ବା ପଡ଼ିଆରେ ଏଥିପାଇଁ ଦିନ ୩ଟା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି । ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ବ୍ୟତୀତ ଆଜି ମୁଖ୍ୟମନ୍ତ୍ରୀ କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ରହିଛି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ, ୪୧ଟି ଅଙ୍ଗନୱାଡ଼ି କେନ୍ଦ୍ର, କୋଲାବ ନଦୀ ଉପରେ ହାଇଲେଭେଲ୍ ସେତୁ ପରି ଏକାଧିକ ଲୋକକଲ୍ୟାଣକାରୀ ପ୍ରକଳ୍ପ ।

ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ଶୁଭାରମ୍ଭ କରିବେ। ଲମତାପୁଟର ସିନ୍ଧିପୁଟ ବ୍ରିଜ୍, ମୁରାନ ଡ୍ୟାମର ଦଶମନ୍ତପୁର ବ୍ରିଜ୍ ଏବଂ ସୁକୁ ବ୍ରିଜ୍ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହି ସବୁ ଗ୍ରାମର ଲୋକମାନେ ଜଳବନ୍ଦୀରେ ରହୁଥିବା ବେଳେ ଜୀବନ ଜୀବିକା ପାଇଁ ଦେଶୀ ଡଙ୍ଗା ଉପରେ ଭରସା କରୁଥିଲେ । ଡଙ୍ଗାରେ ଯାତ୍ରା ସମୟରେ ବହୁ ଦୁର୍ଘଟଣା ମଧ୍ୟ ଘଟୁଥିଲା । ତେଣୁ ଉକ୍ତ ଅଞ୍ଚଳବାସୀଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ମୁଖ୍ୟମନ୍ତ୍ରୀ ବ୍ରିଜ୍ ଉଦଘାଟନ କରିବେ।