ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇ ଆଜି ଓଡିଶା ଫେରୁଛନ୍ତି ନବୀନ ! ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେବ ବିଶାଳ ଶୋଭାଯାତ୍ରା

29

କନକ ବ୍ୟୁରୋ : ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ନବୀନ ପଟ୍ଟନାୟକ ସମ୍ମାନୀତ ହେବା ପରେ ବେଶ ଉତ୍ସାହିତ ବିଜେଡି । ଆଜି ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଆୟୋଜନ କରିଛି ଦଳ । ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଏକ ବିଶାଳ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିବାକୁ ବନ୍ଦୋବସ୍ତ କରାଯାଇଛି । ଏହି ଶୋଭାଯାତ୍ରାରେ ୩୦ ହଜାର କର୍ମୀ ସାମିଲ ହେବେ ବୋଲି ସୂଚନା ମିଳିଛି ।

NABIN PATTANAIKରାଜନୀତିର ଲଢ଼େଇ ଲଢ଼ିବା ପାଇଁ ନବୀନଙ୍କ ହାତରେ ନୂଆ ଅସ୍ତ୍ର । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଯୋଡ଼ି ହୋଇଛି ଆଦର୍ଶ ମୁଖ୍ୟମନ୍ତ୍ରୀର ତାଜ୍ । ଗତକାଲି ପୁନେର ଏମଆଇଟି ୱାର୍ଲ୍ଡ ପିସ୍ ୟୁନିଭର୍ସିଟିରେ ଅଷ୍ଟମ ଭାରତୀୟ ଛାତ୍ର ସଂସଦରେ ନବୀନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ, ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବରେ ପୁରସ୍କାର ପ୍ରଦାନ କରିଥିଲେ । ନବୀନ ଏହି ପୁରସ୍କାର ସାଢ଼େ ୪ କୋଟି ଓଡ଼ିଆଙ୍କୁ ସମର୍ପିତ କରୁଛନ୍ତି ବୋଲି କହି ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ- ଲୋକଙ୍କୁ ଭଲ ପାଇଲେ ସରକାର ବିରୋଧୀ ହାୱା ରହିନଥାଏ ।

ଶ୍ରେଷ୍ଠ ପ୍ରଶାସକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ବର୍ଷ ପାଇଁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ୍ କହିଥିଲେ, ‘ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଜଣେ ଲୋକପ୍ରିୟ ନେତା । ଗଭୀର ନିଷ୍ଠା, ଦୂରଦୃଷ୍ଟି ଏବଂ ଜନପ୍ରିୟ ଯୋଜନାର ପ୍ରଣୟନ ଓ ସଫଳ କାର୍ୟ୍ୟକାରିତା ପାଇଁ ସେ ସାଧାରଣ ଲୋକଙ୍କ ନିକଟରେ ପ୍ରିୟ ନେତା ହୋଇପାରିଛନ୍ତି ।  ନବୀନ ଜଣେ ସ୍ୱଚ୍ଛ ରାଜନେତା ହୋଇଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ବର୍ଦ୍ଧିତ କରାଯାଉଛି । ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶା ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି ।’

ଏହି ଅନୁଷ୍ଠାନର ପରିଚାଳନା ପରିଷଦ ବା ଗଭର୍ଣ୍ଣିଂ କାଉନସିଲରେ ଅନେକ ଜାତୀୟ ଓ ଅନ୍ତର୍ଜତୀୟ ଖ୍ୟାତିସଂପନ୍ନ ବ୍ୟକ୍ତିବିଶେଷ ସାମିଲ ଥିଲେ । ସେମାନଙ୍କ ମଧ୍ୟରେ ଜଣାଶୁଣା ଟିଭି ସାମ୍ବାଦିକ ଓ ଲେଖକ ମାର୍କ ଟଲି, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନ୍, ସମାଜସେବୀ ତଥା ମହାତ୍ମା ଗାନ୍ଧି ଫାଉଣ୍ଡେସନର ସଭାପତି ତୁଷାର ଗାନ୍ଧି ଏବଂ ବିଶିଷ୍ଟ ବୈଜ୍ଞାନିକ ଆର.ଏସ୍. ମାସେଲକର ଉପସ୍ଥିତ ଥିଲେ ।