ଶ୍ରମିକଙ୍କ ପାଇଁ ନବୀନଙ୍କ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ! ୨୧ଟି ସ୍ଥାନରେ ଆବାସ ସ୍ଥଳୀ ନିର୍ମାଣ ସହ ୧୩୪ କୋଟି ଟଙ୍କାର ସ୍ୱତନ୍ତ୍ର ଯୋଜନା

36

କନକ ବ୍ୟୁରୋ: ଶ୍ରମିକ ଦିବସ ଅବସରରେ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ରାଜ୍ୟର ୨୧ଟି ସ୍ଥାନରେ ଶ୍ରମିକଙ୍କ ପାଇଁ ଆବାସସ୍ଥଳୀ ନିର୍ମାଣ କରାଯିବ । ଏହାସହ ୧୩୪କୋଟି ଟଙ୍କାର କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିବା ନେଇ ରାଜ୍ୟସ୍ତରୀୟ ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବର୍ତମାନ ସୁଦ୍ଧା ରାଜ୍ୟରେ ୧୮ଲକ୍ଷ ୪୫ ହଜାର ନିର୍ମାଣ ଶ୍ରମିକଙ୍କୁ ପଂଜିକୃତ କରାଯାଇଛି । ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ୩୮୯କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାସହ ଶ୍ରମିକଙ୍କ ସାମୟିକ ରହଣୀ ପାଇଁ ୨୧ଟି ସ୍ଥାନରେ ୧୭ଶହ ଶଯ୍ୟାର ଆବାସସ୍ଥଳୀ ନିର୍ମାଣ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରମିକ ଚାଲାଣ ରୋକିବା ପାଇଁ ଓ ସେମାନଙ୍କ ଥଇଥାନ ପାଇଁ ୧୩୪କୋଟି ଟଙ୍କାର ସ୍ୱତନ୍ତ୍ର କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି ।

ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମକିଙ୍କ ପାଇଁ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି । ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ପାଇଁ ୬ଟି ଜିଲ୍ଲାକୁ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ସମ୍ପ୍ରସାରଣ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ଶ୍ରମିକ ଆବାସର ଶିଳାନ୍ୟାସ କରିଛନ୍ତି । ଶ୍ରମିକ ଦିବସ ଅବସରରେ ରାଜ୍ୟସ୍ତରୀୟ ଉତ୍ସବ ଓ ନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୧୭କୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ’୧ରୁ ୭ତାରିଖ ଯାଏଁ ଶ୍ରମିକ ସେବା ସପ୍ତାହ ପାଳନ ହେବ ।