ଓଡ଼ିଶାରେ ନିର୍ବାଚନୀ ମୁଡ୍ : ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ପରେ ନବୀନଙ୍କୁ କଟକରେ ସମ୍ବର୍ଦ୍ଧନା

22

କନକ ବ୍ୟୁରୋ : ଭୁବନେଶ୍ୱରରେ ସ୍ୱାଗତ ସମ୍ବର୍ଦ୍ଧନା ପରେ କଟକ ଇଣ୍ଡୋର ଷ୍ଟାଡିୟମରେ ବିରାଟ ସମ୍ବର୍ଦ୍ଧନା ଉତ୍ସବ । ପ୍ରାୟ ୪ ହାଜାର ଲୋକଙ୍କ ଉପସ୍ଥିତିରେ ଆୟୋଜିତ ହେଲା ସମ୍ମାନ ପାଇଁ ଶୁଭେଚ୍ଛାର କାର୍ଯ୍ୟକ୍ରମ । ଆଉଟଲୁକ ମାଗାଜିନ ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ମିଳିବା ପରେ ଏହାକୁ ନେଇ ସକ୍ରିୟ ହୋଇପଡିଛି ବିଜେଡି ଶିବିର । ଏପରିକି ଜିଲ୍ଲାସ୍ତରରେ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । କଟକ ଇଣ୍ଡୋର ଷ୍ଟାଡିୟମରେ ପ୍ରାୟ ୧୫ଟି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚର୍ଚ୍ଚା ହେଉଛି ପୁରସ୍କାରକୁ ନେଇ ପଲିଟିକ୍ସ କରୁଛି ବିଜୁ ଜନତା ଦଳ ।

ପଂଚାୟତ ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିବା ଭାରତୀୟ ଜନତା ପାର୍ଟି ଗୋଟିଏ ପଟେ ଆଗାମୀ ୨୦୧୯ ନିର୍ବାଚନରେ ୧୨୦ ବିଧାନସଭା ଆସନ ଦଖଲ କରିବ ବୋଲି ଦମ୍ଭ ଦେଖାଉଛି । ଆଉ ଚର୍ଚ୍ଚା ହେଉଛି ବିଜେପିକୁ କାଉଂଟର କରିବା ପାଇଁ ବିଜୁ ଜନତା ଦଳ ଆରମ୍ଭ କରିଛି ପୁରସ୍କାର ପଲିଟିକ୍ସ । ରାଜ୍ୟରେ ସୁଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ନମ୍ବର ୱାନ ପ୍ରଶାସକର ସମ୍ମାନ ମିଳିଛି ତାକୁ ହିଁ ଅସ୍ତ୍ର କରି ଲୋକଙ୍କ ନିକଟତର ହେବାକୁ ଓ ଦଳର ଭାବମୂର୍ତି ସଜାଡିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡିର ନୀତି ନିର୍ଦ୍ଧାରକ ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୨୦୧୯ ପାଇଁ ଯେଉଁ ଅଙ୍କ କଶିଛନ୍ତି, ତାକୁ ହାସଲ କରିବାକୁ ୫ ସେନାପତିଙ୍କୁ ବାଛିଛି ବିଜେପି । ଆଉ ବିଜେପିର ଏହି ରଣକୌଶଳକୁ ଦେଖି ବିଜେଡି ବି ନିର୍ବାଚନର ବହୁ ପୂର୍ବରୁ ମୈଦାନକୁ ଓହ୍ଲାଇ ଆସିଥିବା କୁହାଯାଉଛି । ଦିଲ୍ଲୀ ଦରବାରରେ ନବୀନଙ୍କୁ ସମ୍ମାନର ଓଡିଶାବାସୀଙ୍କ ଉପରେ ଏକ ବଡ ପ୍ରଭାବ ଅନୁଭବ କରି ସମ୍ବର୍ଦ୍ଧନା ଓ ଶୁଭେଚ୍ଚା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରିଦେଇଛି ରାଜନୀତି ।