ଓଡିଶାରୁ ବନ୍ଦ ହେବ ୨ଟି କେନ୍ଦ୍ରୀୟ ମୁଦ୍ରଣାଳୟ । ନବୀକରଣ ପରିବର୍ତ୍ତେ ଘରୋଇ କମ୍ପାନୀକୁ ଫାଇଦା ଦେବାକୁ ମସୁଧା

41

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଦୁଇଟି କେନ୍ଦ୍ରୀୟ ଛାପାଖାନା ବନ୍ଦ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏଭଳି ଛାପାଖାନାଗୁଡ଼ିକୁ ନବୀକରଣ କରାନଯାଇ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଉଥିବାରୁ ସାଧାରଣରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି । ଗୋଟିଏ ହେଲା- ମଂଚେଶ୍ୱର ଶିଳ୍ପାଂଚଳରେ ଥିବା ପୋଷ୍ଟାଲ୍ ପ୍ରିଣ୍ଟିଂ ପ୍ରେସ୍ ଓ ଅନ୍ୟଟି ହେଲା ଚନ୍ଦ୍ରଶେଖରପୁରରେ ଥିବା ପାଠ୍ୟପୁସ୍ତକ ମୁଦ୍ରଣାଳୟ ବା ଟେକ୍ସଟବୁକ୍ ପ୍ରେସ ।

ମଂଚେଶ୍ୱର ଶିଳ୍ପାଂଚଳରେ ଥିବା ପୋଷ୍ଟାଲ୍ ପ୍ରିଣ୍ଟିଂ ପ୍ରେସ୍ । ଯାହାକୁ ୧୯୮୭ରେ ପ୍ରତିଷ୍ଠା କରିଥିଲା ଭାରତୀୟ ଡାକ ବିଭାଗ । ଏହା ହେଉଛି ଭାରତୀୟ ଡାକ ବିଭାଗର ଦେଶରେ ଥିବା ଏକମାତ୍ର ଛାପାଖାନା । ପ୍ରାୟ ୩ ଏକର ଜାଗାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରେସରେ ପ୍ରାୟ ଦେଢ଼ ଶହ ଲୋକ କାମ କରୁଛନ୍ତି । ଆଉ ଏଠାରୁ ଡାକ ବିଭାଗର ସବୁ ପ୍ରକାର ଫର୍ମ ଛପାଯାଇଥାଏ । ଯାହାକୁ କି ୬ଟି ରାଜ୍ୟକୁ ଛାପା କାମ ଯୋଗାଇଥାଏ । ଛାପାଖାନା ବା ମୁଦ୍ରଣାଳୟକୁ ଏବେ ପାର୍ସଲ ରଖିବା ଓ ବିତରଣ କେନ୍ଦ୍ରରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କର୍ମଚାରୀମାନଙ୍କୁ ଡାକବିଭାଗରେ ଅନ୍ୟତ୍ର ଥଇଥାନ ପାଇଁ ନିଷ୍ପତି ନିଆଯାଇଛି ।

ଅନ୍ୟପଟରେ ସମାନ ଦଶା ଭୋଗିବାକୁ ଯାଉଛି ଚନ୍ଦ୍ରଶେଖରପୁରରେ ୧୯୬୩ ମସିହାରେ ପ୍ରତିଷ୍ଠା ହୋଇଥିବା ଭାରତ ସରକାରଙ୍କ ପାଠ୍ୟପୁସ୍ତକ ମୁଦ୍ରଣାଳୟ ବା ଟେକ୍ସଟବୁକ୍ ପ୍ରେସ । ଦେଶବ୍ୟାପୀ ନଗର ଉନ୍ନୟନ ମନ୍ତ୍ରଣାଳୟର ରହିଥିବା ୧୭ଟି ପ୍ରେସ୍ ମଧ୍ୟରୁ ଭୁବନେଶ୍ୱର ପ୍ରେସ୍ ହେଉଛି ଅନ୍ୟତମ । ବର୍ତମାନ ୨୮ ଏକର ଜମି ଉପରେ ଥିବା ଏହି ପ୍ରେସ୍ ପାଇଁ ୧୯୭୦ ଦଶକରେ ୟୁନେସ୍କୋର ଦାନରେ ତଥା ପଶ୍ଚିମ ଜର୍ମାନୀ ପକ୍ଷରୁ ମିଳିଥିବା ୪ଟି ଅତ୍ୟାଧୁନିକ ମେସିନ୍ ଜରିଆରେ ପ୍ରିଣ୍ଟିଂ କାର୍ଯ୍ୟ କରାଯାଉଥିଲା । ହେଲେ କେନ୍ଦ୍ର ସରକାର ଏବେ ଏହି ପ୍ରେସକୁ ବନ୍ଦ କରିଦେଇ ଏଠାରେ ଥିବା ୩୬ଜଣ କର୍ମଚାରୀଙ୍କୁ କୋଲକାତାର ଏକ ଛୋଟ ପ୍ରେସକୁ ବଦଳି କରିଦେଇଛନ୍ତି । ସଂସଦୀୟ କମିଟି ପ୍ରେସର ଆଧୁନିକୀକରଣ ପାଇଁ ସୁପାରିଶ କରିଥିଲେ ସୁଦ୍ଧା କେନ୍ଦ୍ର ସରକାର ତାହା ଶୁଣିନାହାନ୍ତି । ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର ଏହି ଦୁଇଟି କେନ୍ଦ୍ରୀୟ ମୁଦ୍ରଣାଳୟ ନବୀକରଣ କରିବା ବଦଳରେ କଣ ପାଇଁ ବନ୍ଦ କରୁଛନ୍ତି । ଏହାଦ୍ୱାରା ଘରୋଇ କମ୍ପାନୀକୁ ଫାଇଦା ଦେବାକୁ କେନ୍ଦ୍ର ସରକାର ମସୁଧା କରୁନାହାନ୍ତି ତ?