ଅଳିଆ ଗଦାରେ ୧୮୫ କୋଟିର ବସ୍ । କାହା ସ୍ୱାର୍ଥରେ କିଣାଗଲା, କାହିଁକି ନଷ୍ଟ ହେବାକୁ ଦିଆଗଲା? ସୂଚନା ଅଧିକାର ବଳରେ ଆସିଲା ସାଂଘାତିକ ସତ ।

1,956

କନକ ବ୍ୟୁରୋ : ଅଳିଆ ଗଦାରେ ପଡିଛି ୧୮୫ କୋଟି ଟଙ୍କାର ବସ୍ । ଅନେକ ରଙ୍ଗୀନ ସ୍ୱପ୍ନ ଦେଖାଇ ଠିକ ୯ ବର୍ଷ ତଳେ ଯେତେବେଳେ ଗୋଟିଏ ବସ୍ ପିଛା କୋଟିଏ ଟଙ୍କା ଖର୍ଚ୍ଚ କରି ସରକାର କିଣିବାକୁ ନିର୍ଣ୍ଣୟ କଲେ, ତାର ଅନ୍ତିମ ପର୍ଯ୍ୟାୟ ଯେ ଏଭଳି ହେବ ତାକୁ କେହି କଳ୍ପନା ମଧ୍ୟ କରିନଥିଲେ । କାହିଁକି ଏତେ ଅର୍ଥରେ କିଣାଯାଇଥିବା ବସ ଗୁଡିକ ଆଜି ଅଦରକାରୀ ଭାବେ ପଡିରହିଛି, ତାର ଉତ୍ତର ସ୍ପଷ୍ଟ ଭାବେ ମିଳୁନଥିବା ବେଳେ, ସୂଚନା ଅଧିକାର ଆଇନ ବଳରେ ଗୋଟିଏ ବଡ ଦୁର୍ନୀତିର ଗନ୍ଧ ଏବେ ସାମ୍ନାକୁ ଆସୁଛି ।

୨୦୧୦ ରୁ ୨୦୧୪ ମଧ୍ୟରେ ଟାଉନବସ୍ ସେବା ଯୋଗାଇଦେବା ପାଇଁ ୧୮୫ କୋଟି ଅର୍ଥ ବ୍ୟୟରେ ୧୮୫ଟି ବସ୍ କିଣାଯାଇଥିଲା । ଅର୍ଥାତ୍ ଗୋଟିଏ ବସ୍ କିଣିବାକୁ କୋଟିଏ ଟଙ୍କାର ଅର୍ଥ ବ୍ୟୟ ହୋଇଥିଲା । ହେଲେ କିଣିବାର ମାତ୍ର କେଇ ବର୍ଷ ପରେ ଏହି ସବୁ ବସ୍ ଏବେ ଅଦରକାରୀ ହୋଇଯାଇଛି । ଅବ୍ୟବହୃତ ଭାବେ ଅଳିଆ ଗଦାରେ ପଡିରହିଛି । ଦୁରଦୃଷ୍ଟିର ଅଭାବ ପାଇଁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି ନା ଜାଣିଶୁଣି ଟାଉନ ବସ୍ ସେବାକୁ ନଷ୍ଟ କରି ସେହି ନାଁରେ ଆଉ ଏକ ସେବା ଆରମ୍ଭ କରିବାକୁ ଯାଇ ନୂଆ ବସ୍ କିଣିବା ପାଇଁ ଏଭଳି ଏକ ପଇଁତରାବାଜି କରାଯାଇଥିଲା, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

୧୮୫ କୋଟି ଟଙ୍କାରେ କିଣାଯାଇଥିବା ଏହି ସମସ୍ତ ବସ ଗୁଡିକର ପରିଚାଳନା ଦାୟିତ୍ୱ ଡ୍ରିମ୍ ଟିମ୍ ସାହାରା ନାମକ ଏକ ବେସରକାରୀ ସଂସ୍ଥାକୁ ଦିଆଯାଇଥିଲା । ବଡ କଥା ହେଉଛି ବସ୍ ଗଡିବାର ୭ ବର୍ଷ ଭିତରେ ମାତ୍ର ୮.୫ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା । ୧୮୫ କୋଟି ଟଙ୍କାର ନିବେଶ ହୋଇଥିବା ବେଳେ ଆୟ ହୋଇଥିଲା ମାତ୍ର ୮.୫ କୋଟି । ଆଉ ଏଭଳି ସ୍ଥିତିରେ ବସ ଗୁଡିକୁ ଚଲାଇ ରଖିବା ସମ୍ଭବପର ନହେବାରୁ ଏସବୁ ବସକୁ ଅଦରକାରୀ କରିଦିଆ ଯାଇଛି ବୋଲି ଧାରଣା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, କିଣାଯାଇଥିବା ୧୮୫ ବସ ମଧ୍ୟରୁ ୧୮୦ଟି ଅଦରକାରୀ ହୋଇଯାଇଛି । ଭୁବନେଶ୍ୱର ଆଉ କଟକର ବିଭିନ୍ନ ସ୍ଥାନରେ ଏସବୁ ବସ ଦଦରା ଅବସ୍ଥାରେ ପଡିରହିଛି । ନା କିଛି ବ୍ୟବହାରରେ ଆସୁଛି, ନା ଏହାର ଯତ୍ନ ନେବା ପାଇଁ କୌଣସି ପଦକ୍ଷେପ ନିଆଯାଉଛି । ଯେଉଁ ସଂସ୍ଥା ଅର୍ଥାତ୍ ଡ୍ରିମ ଟିମ ସାହାରାକୁ ଏହି ବସ୍ ଗୁଡିକର ପରିଚାଳନା ପାଇଁ ଦାୟିତ୍ୱ ମିଳିଥିଲା ଉକ୍ତ ସଂସ୍ଥା ଉତ୍ତରଦାୟିତ୍ୱ ନେବା ବଦଳରେ ନିଜ ଉପରୁ ଧୂଳି ଝାଡି ଖସିଯିବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

ଏହି ପୂରା ତଥ୍ୟ ଆରଟିଆଇ ତଥ୍ୟ ଜରିଆରେ ସାମ୍ନାକୁ ଆସିଛି । ଭୁବନେଶ୍ୱର ପୁରୀ ଟ୍ରାନସପୋର୍ଟ କର୍ପୋରେସନ ଲିମିଟେଡ ଅର୍ଥାତ୍ ବିପିଟିସିଏଲ ଅଧୀନରେ କେତେ ଟାଉନବସ୍ କାମ କରୁଛି, କେତେ ବସ୍ କିଣାଯାଇଥିଲା, ବେସରକାରୀ ସଂସ୍ଥା ଏହାର ପରିଚାଳନା କିଭଳି କରୁଛି ଏବଂ ବସ୍ ଗୁଡିକର ସ୍ଥିତି ଏବେ କଣ ଅଛି, ଏହି ତମାମ ପ୍ରଶ୍ନର ଉତ୍ତର ଖୋଜିବାକୁ ଆରଟିଆଇ ଜରିଆରେ ଆବେଦନ କରାଯାଇଥିଲା । ଆଉ ଯେଉଁ ଉତ୍ତର ଆସିଛି, ତାହା ଅତ୍ୟନ୍ତ ସାଂଘାତିକ ।

କିଣାଯାଇଥିବା ୧୮୫ ବସରୁ ୧୮୦ଟି କାମ କରୁନାହିଁ, ରାସ୍ତାରେ ଗଡିବା ଅବସ୍ଥାରେ ନାହିଁ, ଅବ୍ୟବହୃତ ଭାବେ ପଡିରହିଛି । ମାତ୍ର ୫ଟି ବସ୍ ରାସ୍ତାରେ ଗଡୁଛି । ଆଉ ଏହି ସବୁ ଗାଡିର ନମ୍ବର ମଧ୍ୟ ସୂଚନା ଅଧିକାର ବଳରେ ସାମ୍ନାକୁ ଆସିଛି । ତେବେ ବଡ କଥା ହେଉଛି, କାହିଁକି କିଣାଯାଇଥିବା ଗାଡି ମଧ୍ୟରୁ ୧୮୦ଟିକୁ ନଷ୍ଟ ହେବାକୁ ଦିଆଗଲା । କାହିଁକି ଏସବୁକୁ ଯତ୍ନର ସହ ରଖିବାକୁ ଉଦ୍ୟମ କରାଗଲା ନାହିଁ? କାହିଁକି ଦାୟିତ୍ୱ ପାଇଥିବା ସଂସ୍ଥା ଉତ୍ତରଦାୟିତ୍ୱ ମୁଣ୍ଡାଇବା ବଦଳରେ ଏସବୁକୁ ନଷ୍ଟ କରିବାକୁ ଦିଆଗଲା? ଏସବୁ ପ୍ରଶ୍ନର ଉତ୍ତର ଖୋଜା ଚାଲିଥିବା ବେଳେ ସରକାରୀ ସ୍ତରରେ ଆରମ୍ଭ ହୋଇଥିଲା ମୋ-ବସ୍ ଯୋଜନା ।

ଏବେ ମୋ-ବସ୍ ଯୋଜନାରେ ଏକାଧିକ ବସ୍ ରାଜରାସ୍ତାରେ ଗଡୁଛି । ଲୋକମାନେ ଏହାର ଭରପୂର ଉପଯୋଗ ମଧ୍ୟ କରୁଛନ୍ତି । କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନସପୋର୍ଟ ବା କ୍ରୁଟ ସଂସ୍ଥା ଜରିଆରେ ଏସବୁର ପରିଚାଳନା କରାଯାଉଛି । ଏହି କଂପାନୀକୁ ୨୦୧୮ମସିହାରେ ରାଜ୍ୟ ସରକାର ପଂଜିକୃତ କରାଇଥିଲେ ବୋଲି ସୂଚନା ଅଧିକାର କର୍ମୀଙ୍କ ତରଫରୁ କୁହାଯାଇଛି । ହେଲେ ଯେଉଁ ବଡ ପ୍ରଶ୍ନର ଉତ୍ତର ଆଜିର ଦିନରେ ଖୋଜାଯାଉଛି ତାହା ହେଲେ, କେଉଁ ସ୍ୱାର୍ଥ ହାସଲ ପାଇଁ ୧୮୫ କୋଟି ଅର୍ଥ ବ୍ୟୟରେ କିଣାଯାଇଥିବା ବସକୁ ନଷ୍ଟ କରିବାକୁ ଦିଆଗଲା ଏବଂ ପୁଣି ଥରେ ମୋ ବସ୍ ଯୋଜନାକୁ ଆରମ୍ଭ କରିବାକୁ ଯାଇ ନୂଆ ବସ୍ କିଣିବାର ପ୍ରାବଧାନ କରାଗଲା?