ମାନସ ମଙ୍ଗରାଜଙ୍କୁ ଟିକେଟ ମିଳିଲେ, ଚିଲିକାରେ ବିଜେଡି ଜିତିବ? ନବୀନଙ୍କୁ ଭେଟି ଚିଲିକା ରାଜନୀତିର ଭିତିରି କଥା କହିଲେ ଦଳୀୟ କର୍ମୀ

808

କନକ ବ୍ୟୁରୋ : କାହାକୁ ଚିଲିକାରେ ମିଳିବ ବିଜେଡି ଟିକେଟ? ନିର୍ବାଚନ ଘୋଷଣା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଟିକେଟ ପାଇଁ ନେତା ମାନେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀଙ୍କୁ ଧରି ଲବି ଆରମ୍ଭ କରିଥିବା ବେଳେ କର୍ମୀ ମାନେ ମଧ୍ୟ ଟିକେଟ କାଟିବା ପାଇଁ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି ନେତାଙ୍କ ବିରୋଧରେ ଫେରାଦ ହେଉଛନ୍ତି । ରଘୁନାଥଙ୍କୁ ନୁହେଁ ମାନସଙ୍କୁ ଦିଆଯାଉ ବିଜେଡି ଟିକେଟ । ଚିଲିକା ନିର୍ବାଚନମଣ୍ଡଳୀ ଆସନ ପାଇଁ ମାନସ ମଙ୍ଗରାଜଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେବାକୁ ବିଜେଡି ସୁପ୍ରିମୋଙ୍କୁ ଭେଟିବା ପରେ ଅନୁରୋଧ କରିଛନ୍ତି ଚିଲିକାର ବିଜେଡି କର୍ମୀ । ଏହାସହ ଟିକେଟ ପାଇଁ ଆଶାୟୀ ଥିବା ପୂର୍ବତନ ବିଧାୟକ ରଘୁଙ୍କ ବିରୋଧରେ ଲମ୍ବା ଅଭିଯୋଗଫର୍ଦ୍ଦ ନବୀନଙ୍କୁ ଦେଇଛନ୍ତି ଚିଲିକା ବିଜେଡିର ତୁଙ୍ଗ ନେତା । ରଘୁ ଚିଲିକାରେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ବେଳେ ଦଳର ସାଙ୍ଗଠନିକ ସ୍ଥିତି ମଧ୍ୟ ଦିନକୁ ଦିନ ଦୁର୍ବଳ ହୋଇଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି କର୍ମୀ ।

ଚଳିତଥର ଚିଲିକା ଆସନରେ ବିଜେଡିକୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଦଳୀୟ କର୍ମୀ ଓ ନେତା । ତେବେ ଏଥିପାଇଁ ରଘୁଙ୍କ ବଦଳରେ ମାନସଙ୍କୁ ଟିକେଟ ଦିଆଯିବା ଦରକାର ବୋଲି କହିଛନ୍ତି ବିଜେଡି କର୍ମୀ । ରଘୁଙ୍କ ଅପେକ୍ଷା ମାନସ ଦଳୀୟ କର୍ମୀଙ୍କ ନିକଟରେ ଅଧିକ ଗ୍ରହଣୀୟ ହେବେ ଓ ଦଳକୁ ବିଜୟୀ କରାଇପାରିବେ ବୋଲି କହିଛନ୍ତି ଦଳର ତୁଙ୍ଗ ନେତା । ଏହାବାଦ ରଘୁ ଯଦି ଟିକେଟ ପାଆନ୍ତି ତେବେ ଏହା ବିଜେଡି ପାଇଁ ଲାଭଦାୟକ ହେବ ନାହିଁ ବୋଲି କହିଛନ୍ତି ଦଳୀୟ କର୍ମୀ । ରଘୁଙ୍କ ବ୍ୟତୀତ ଅନ୍ୟ ଯେକୌଣସି ନେତାଙ୍କୁ ଦଳ ଟିକେଟ ଦେଲେ ଚିଲିକାରେ ଶଙ୍ଖ ଧ୍ୱନି ଶୁଭିବ ବୋଲି କହିଛନ୍ତି କର୍ମୀ । ଏନେଇ ଚିଲିକା ବିଜେଡିର ୧୦୦ରୁ ଅଧିକ ଦଳୀୟ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରଘୁଙ୍କୁ ବିରୋଧରେ ଫେରାଦ ହୋଇଛନ୍ତି ।

ଗତବର୍ଷ କଂଗ୍ରେସର ହାତ ଛାଡି ଶଙ୍ଖ ଧରିଥିଲେ ମାନସ ମଙ୍ଗରାଜ । ଏପରିକି ମାନସଙ୍କୁ ମଧ୍ୟ ଦଳ ସାଧାରଣ ସଂପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଖୁବ କମ ସମୟ ମଧ୍ୟରେ ମାନସଙ୍କୁ ବିଜେଡି କର୍ମୀ ଗ୍ରହଣ କରିନେଇଥିବା ବେଳେ ମାନସ ମଧ୍ୟ ଚିଲିକାରେ ବିଜେଡି ସଙ୍ଗଠନକୁ ମଜବୁତ୍ କରିବାକୁ କୌଣସି ସୁଯୋଗ ହାତଛଡା କରିନଥିଲେ । ଆଉ ଯେତେବେଳେ ନିର୍ବାଚନ ପାଖେଇ ଆସିଛି ସେତେବେଳେ ମାନସଙ୍କୁ ଟିକେଟ ଦେବାକୁ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିବାକୁ ନବୀନ ନିବାସ ଧାଇଁ ଆସିଛନ୍ତି ଦଳର କର୍ମୀ ଓ ନେତା । ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ପୂରା ରାଜ୍ୟରେ ଶଙ୍ଖ ଧ୍ୱନି ଶୁଭୁଥିବା ବେଳେ ଚିଲିକାରେ ପଦ୍ମ ଫୁଟିଥିଲା । ବିଜେପି ପ୍ରାର୍ଥୀ ବିଭୂତିଭୂଷଣ ହରିଚନ୍ଦନ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ହରାଇ ଚିଲିକାକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିଥିଲେ । ତେବେ ଦଳୀୟ କର୍ମୀ ଫେରାଦ ହେବା ପରେ ସୁପ୍ରିମୋ କାହାକୁ ଟିକେଟ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।