ବୀରମିତ୍ରପୁରରେ ବୀରତ୍ୱ ଦେଖାଇବ କିଏ ? ବିଜେଡି-କଂଗ୍ରେସରେ ଅଧ ଡ଼ଜନ ଆଶାୟୀ, ଦ୍ୱନ୍ଦରେ ବିଜେପି । ଫାଇଦା ନେବାକୁ ଜେଏମଏମ ତୟାର ।

233

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ନେତା ଜର୍ଜ ତିର୍କୀ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇଥର ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଜେଏମଏମ୍ ଥରେ ସ୍ବାଧୀନ ଓ ଗତ ୨୦୧୪ ନିର୍ବାଚନରେ ସେ ସମତା କ୍ରାନ୍ତି ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଯାଉଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ତେଣୁ ଜିଲ୍ଲାର ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ବଳ କଷାକଷି ।

ରାଜ୍ୟରେ ଜେଏମଏମ୍ ଓ ସମତା କ୍ରାନ୍ତି ଦଳକୁ ସକ୍ରିୟ କରିବା ସହ ନିଜ ଦମରେ ହିଁ ଜର୍ଜ ସବୁ ନିର୍ବାଚନ ଜିତିଛନ୍ତି । କିନ୍ତୁ କଂଗ୍ରେସ ଦଳରେ ଯୋଗ ଦେବା ପରେ ଏଥର ନିର୍ବାଚନରେ ଜର୍ଜ ବୀରମିତ୍ରପୁର ବିଧାନସଭା କ୍ଷେତ୍ର ଛାଡ଼ି ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ପ୍ରଚାର ଚାଲିଛି । ଯଦି ଜର୍ଜ ଲୋକସଭା ଟିକେଟ୍ ପାଇବେ ତେବେ ବୀରମିତ୍ରପୁରବାସୀ କାହାକୁ ନିଜର ଉତ୍ତରାଧିକାରୀ ବାଛିବେ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

୧୯୯୦ ମସିହାରେ ଏହି ଆସନରୁ ଜନତା ଦଳର ସତ୍ୟ ନାରାୟଣ ପ୍ରଧାନ ବିଜୟୀ ହୋଇଥିଲେ । ଏହାପରେ ଏହି ନିର୍ବାଚନମଣ୍ଡଳୀ ଜେଏମଏମ୍ ଓ ଜର୍ଜ ତିର୍କୀଙ୍କ କବଜାରେ ରହିଛି । ତେଣୁ କଂଗ୍ରେସ ପ୍ରାର୍ଥୀ ଉପରେ ସମସ୍ତଙ୍କ ନଜର । ଏଥର କଂଗ୍ରେସ ଟିକେଟ୍ ଆଶାୟୀଙ୍କ ମଧ୍ୟରେ ପୂର୍ବତନ କୁଆରମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ସୁଷମା ନାଏକ, ବୀରମିତ୍ରପୁର ପୌର ପରିଷଦର ପୂର୍ବତନ କାଉନସିଲର ପଟେଲ ବାର୍ଲା, ପୂର୍ବତନ ବିଧାୟକ ରେମେଶ କେର୍କେଟାଙ୍କ ପୁଅ ରାଜେଶ କେର୍କେଟା ଓ ବିଶ୍ରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୁଶିଲ କିଣ୍ଡୋ ଅନ୍ୟତମ। ତେବେ ସୁଷମା ଓ ପଟେଲଙ୍କ ନାମ ପିସିସିରୁ ସୁପାରିସ ହୋଇ ଏଆଇସିସିକୁ ଯାଇଥିବା ପ୍ରଚାର ହେଉଛି।

ସବୁଠାରୁ ରୋଚକ ବିଷୟ ହେଲା ଯେ, ଏଠାରେ ଜେଏମଏମକୁ ପୂର୍ବ ନିର୍ବାଚନ ଗୁଡ଼ିକରେ କଡ଼ା ଟକ୍କର ଦେଉଛି ବିଜେପି । ତେଣୁ ଚଳିତ ଥର ବିଜେପି ଏଠାରେ ବିଜୟର ସ୍ୱାଦ ଚାଖିବାକୁ ଗୋଟି ଚାଳନା କରୁଥିବା ଶୁଣିବାକୁ ମିଳିଛି । ତୃଣମୂଳ ସ୍ତରରେ ସାଗଂଠନିକ ସ୍ଥିତି ମଜଭୁତ କରିଥିବା ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ନାଁ ପ୍ରମୁଖ ଦାବିଦାର ରହିଛି । ଶଙ୍କର ଓରାମଙ୍କ ବ୍ୟତୀତ ପୂର୍ଣ୍ଣିମା କେରକେଟା ଓ ସୋମା ଓରାମ ମଧ୍ୟ ବିଜେପିରୁ ଏଥର ଟିକେଟ୍ ପାଇବାକୁ ଆଶାୟୀ ରହିଥିବା ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି ।

ଗତ ବିଧାନସଭା ନିର୍ବାଚନରେ ଏହି ଆସନରେ ବିଜେଡି ଶୋଚନୀୟ ପରାଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଦଳକୁ ଉତ୍ସାହିତ କରିଛି। କିନ୍ତୁ ଏଥର ଟିକେଟ୍ ପାଇଁ ଦଳରେ ଅନେକ ଆଶାୟୀ । ଟିକେଟ୍ ଦୌଡ଼ରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ରଣଜିତ୍ ଲାକ୍ରା, ନୂଆ ବ୍ଳକ୍ ଅଧ୍ୟକ୍ଷ ମକଲୁ ଏକ୍କା, ପୂର୍ବତନ ବିଧାୟକ ନିହାର ସୁରିନ ଓ କୁଆରମୁଣ୍ଡା ବ୍ଲକ୍ ବିଜେଡି ସଭାପତି ରାଜେନ୍ଦ୍ର କୁଜୁର ନାମ ଶୁଣିବାକୁ ମିଳୁଛି । ଜର୍ଜ ତିର୍କୀଙ୍କୁ ଟକ୍କର ଦେବା ପାଇଁ ଦଳ ଜଣେ ଟାଣୁଆ ନେତାଙ୍କ ତଲାସରେ ଅଛି ଦଳ ।

ଅନ୍ୟପଟେ ଜେଏମଏମ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ତରଫରୁ ସେଭିଆନ ଆଇନ୍ଦ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ଏପରିକି ଯଦି ଏଥର କଂଗ୍ରେସ ନେତା ରାଜେଶ କେର୍କେଟାଙ୍କୁ ଦଳ ଟିକେଟ୍ ନ ଦିଏ ତେବେ ସେ ମଧ୍ୟ ଜେଏମଏମ କୁ ଡ଼େଇଁ ଦଳରୁ ଟିକେଟ୍ ପାଇବାକୁ ଆଶାବାଦୀ ଅଛନ୍ତି । କିନ୍ତୁ ଏବେ କଂଗ୍ରେସର ନିଷ୍ପତିକୁ ସେ ଅପେକ୍ଷା କରି ରହିଥିବା ଚର୍ଚ୍ଚା ହେଉଛି ।