ସରିଲା ଲୁଚକାଳି ଖେଳ : ପରିଶେଷରେ ବାଲୁଖଣ୍ଡରେ ହରିଣଙ୍କ ଠିକଣା ଠାବ କଲା ଡ୍ରୋନ୍

340

କନକ ବ୍ୟୁରୋ : ଅନେକ ଦିନର କଳ୍ପନାଜଳ୍ପନାର ପୂର୍ଣ୍ଣଛେଦ ପକାଇ ବାଲୁଖଣ୍ଡ ଅଭୟାରଣ୍ୟରେ ଦେଖାଦେଲେ ଚିତ୍ରା ହରିଣ । ସାମୁଦ୍ରକି ବାତ୍ୟା ଫୋନିର ତାଣ୍ଡବ ପରେ ହରିଣଙ୍କୁ ଧରି ସସପେନ୍ସ ଜାରି ରହିଥିଲା । ବାଲୁଖଣ୍ଡରେ ଥିବା ହରିଣ କେଉଁ ଅବସ୍ଥାରେ ଅଛନ୍ତି ସେନେଇ ବିଭିନ୍ନ ପ୍ରକାର ଖବର ଶୁଣିବା ପାଇଁ ମିଳିଥିଲା । ହେଲେ ଶେଷରେ ଡ୍ରୋନ୍ କ୍ୟାମେରାରେ ଧରାଦେଇଛନ୍ତି ଚିତ୍ରା ହରିଣ । ହରିଣଙ୍କୁ ନେଇ ଲାଗିରହିଥିବା ସସପେନ୍ସ ଉପରୁ ପରଦା ଉଠାଇଲା ଡ୍ରୋନ କ୍ୟାମେରା । ବାଲୁଖଣ୍ଡ ଅଭୟାରଣ୍ୟରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହରିଣଙ୍କୁ ଠାବ କରିଛି ପିସିସିଏଫ । ଡ୍ରୋନରେ ଅଭୟାରଣ୍ୟ ଭିତରେ କିଛି ହରିଣ ବୁଲୁଥିବାର ଦେଖିବାକୁ ମିଳିଛି । ପ୍ରାୟ ୫ ହଜାର ଚିତ୍ରା ହରିଣଙ୍କ ଠିକଣା ଠାବ କରିବାକୁ ପିସିସିଏଫ ପକ୍ଷରୁ ପ୍ରୟାସ କରାଯାଉଛି ।

ସାମୁଦ୍ରିକ ଝଡ ଫୋନି ବାଲୁଖଣ୍ଡରେ ଧ୍ୱଂସର ତାଣ୍ଡବଲୀଳା ରଚିଛି । ସବୁକିଛି ଛାରଖାର କରିଦେଇଛି ଭୟଙ୍କର ପବନ । ସବୁଜିମାରେ ଭରପୂର ଏହି ଅଭୟାରଣ୍ୟରେ ଏବେ ଧ୍ୱଂସସ୍ତୁପର ଭ୍ରମ ସୃଷ୍ଟି କରୁଛି । ଗତ ୩ ତାରିଖରେ ବାତ୍ୟା ଫୋନି ପରେ ହରିଣଙ୍କୁ ଦେଖିବାକୁ ମିଳିନଥିଲା । ଅଭୟାରଣ୍ୟରେ ରହୁଥିବା ୪ ହଜାରରୁ ଉର୍ଦ୍ଧ୍ୱ ଚିତ୍ରା ହରିଣଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।  ତେବେ ରାତିରେ ହରିଣ ମାନେ ମେଳ ହୋଇ ପାଣି ପିଇବାକୁ ଆସୁଥିବାର ଦୃଶ୍ୟ ଭିଡିଓ ରେକର୍ଡ ହୋଇଥିଲା । ଏହା ପରେ ସମସ୍ତ ଚିତ୍ରା ହରିଣ ସୁରକ୍ଷିତ ଥିବା ନେଇ ପିସିସିଏଫ ପକ୍ଷରୁ କୁହାଯାଇଥିଲା । ହରିଣଙ୍କୁ ଠାବ କରିବାକୁ ବନବିଭାଗ ଅପରେଶନ ଆରମ୍ଭ କରିଦେଇଥିଲା । ଆଉ ଆଜି ଡ୍ରୋନ କ୍ୟାମେରା ସାହାଯ୍ୟରେ ସେମାନଙ୍କର ଠିକଣା ଠାବ କରାଯାଇ ପାରିଛି ।