ସିବିଆଇର ସର୍ଜିକାଲ୍ ଷ୍ଟ୍ରାଇକ୍ ! ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କ ଘରେ ରେଡ୍

36

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଉପରେ ସିବିଆଇର ସର୍ଜିକାଲ୍ ଷ୍ଟ୍ରାଇକ୍ । ଗୋଟିଏ ଦିନରେ ଦଳର ଦୁଇ ବଡ ନେତା ଓ ନବୀନ ନିବାସ କର୍ମଚାରୀଙ୍କ ଘରେ ଅତର୍କିତ ଚଢାଉ ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଧାୟକ ପ୍ରଭାତ ବିଶ୍ୱାଳ, ସାଂସଦ ରବୀନ୍ଦ୍ର ଜେନା ଓ ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କ ଘରେ ଏକକାଳୀନ ରେଡ୍ କରି ବିଜେଡିକୁ ଚମକାଇ ଦେଇଛି । ଏଥିସହ ଚିଟଫଣ୍ଡ ସଂସ୍ଥା ସିସୋର ସହ ସେମାନଙ୍କ ଆର୍ଥିକ ସଂପର୍କର ବହୁ ଗୁରୁତ୍ୱପୂଣ୍ଣ ଦସ୍ତାବିଜ୍ ଜବତ କରିଥିବା ଚର୍ଚ୍ଚା ହେଉଛି ।

ତେଣୁ ୨ବର୍ଷ ତଳୁ ଏ ଦୁଇ ନେତା ଓ ନବୀନ୍ ନିବାସ କର୍ମଚାରୀଙ୍କ ପଛରେ ହାତ ଧୋଇ ପଡି ଯାଇଛି ସିବିଆଇ । ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କ ଉପରେ ଏଭଳି ଚଢାଉକୁ ସହ୍ୟ କରି ପାରୁନାହାଁନ୍ତି ଦଳୀୟ ନେତା । ହେଲେ କାଳେ କିଛି ମନ୍ତବ୍ୟ ଦଳ ପାଇଁ ବୁମେରାଂ ହେବ, ତେଣୁ ଜଗିରଖି କଥା କହୁଛନ୍ତି ବିଜେଡି ନେତା ।

ଦିନେ ସରୋଜ ସାହୁଙ୍କ ସ୍ୱାକ୍ଷରରେ ଚାଲୁଥିଲା ବିଜେଡିର ପାର୍ଟି କାରବାର । ହେଲେ ୨୦୧୪ରେ ସରୋଜ ଆସିଲେ ସିବିଆଇ ସ୍କାନରକୁ । ଚର୍ଚ୍ଚା ହେଲା ସିସୋରର ଆର୍ଥିକ କାରବାରରେ ସରୋଜ ମଧ୍ୟସ୍ଥତା କରୁଥିଲେ । ତେଣୁ ତାଙ୍କୁ ଜେରା କରିବା ସହ ଘର ଉପରେ ରେଡ୍ କରିଥିଲା ସିବିଆଇ । ଏହାପର ଠାରୁ ନବୀନଙ୍କ ବଶ୍ୱସ୍ତ ତାଲିକାରୁ ହଟିଗଲେ ସରୋଜ । ଦଳୀୟ କାଗଜପତ୍ରରୁ ଲିଭିଗଲା ସରୋଜଙ୍କ ସ୍ୱାକ୍ଷର । ହେଲେ ନବୀନ ନିବାସର ଦରଜା କିନ୍ତୁ ପାଇଁ ଖୋଲା ରହିଛି ଆଜି ପର୍ଯ୍ୟନ୍ତ ।

ସେହିପରି ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ । କଟକରେ ଓ ଦଳରେ ଖୁବ୍ ଚାଲେ ତାଙ୍କ ରାଜନୀତିର ଚାଲ୍ । ହେଲେ ଯାଜପୁର ପାଣିକୋଇଲିରେ ସିସୋର୍ ସହ ଏକ ଜମି କାରବାର ମହଙ୍ଗା ପଡିଲା ତାଙ୍କ ପାଇଁ । ତେଣୁ ଗଲା ୨ ବର୍ଷ ହେଲା ପ୍ରଭାତ ଓ ତାଙ୍କ ପତ୍ନୀଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ସିବିଆଇ । ହେଲେ ସନ୍ତୁଷ୍ଟ ହେଲା ଭଳି ଉତ୍ତର କିନ୍ତୁ ପାଇ ପାରୁନି । ତେଣୁ ଆଜି ଅତର୍କିତ ରେଡ୍ କରିଛି ତାଙ୍କ ଘର ଉପରେ । ହେଲେ ପ୍ରଭାତ କିନ୍ତୁ ବିଚଳିତ ନହେବାର ଅଭିନୟ କରି ସେହି ପୁରୁଣା ଟେପ୍ ରେକର୍ଡ ବଜାଇଛନ୍ତି ।

ସେପଟେ ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନା । ସିସୋରର ସୁପ୍ରତିକ ଗ୍ରୁପ୍ ଅଫ୍ କମ୍ପାନୀଜ୍ ଠାରୁ ଋଣ ଆକାରରେ ପ୍ରାୟ ୧୮ କୋଟି ନେଇ ଫେରାଇ ନଥିବା ଅଭିଯୋଗ ରହିଛି ଏହି ନେତାଙ୍କ ନାଁରେ । ତେଣୁ ୨୦୧୫ରୁ ସିବିଆଇ ପଡିଛି ରବ୍ରୀନ୍ଦ୍ରଙ୍କ ପଛରେ । ପୂର୍ବରୁ ଜେରା କରିଥିବା ତଦନ୍ତକାରୀ ସଂସ୍ଥା ଆଜି ଏକକାଳୀନ ଛଅଟି ଜାଗାରେ ଛାପା ମାରିଛି । କାରଣ ୧୨ ତାରିଖ ସୁଦ୍ଧା ହାଜର ହେବାକୁ ରବୀନ୍ଦ୍ରଙ୍କୁ ସିବିଆଇ ନୋଟିସ୍ କରିଥିଲା । ହେଲେ ରବୀନ୍ଦ୍ର ନା ଆସି ହାଜର ହେଲେ ନା କିଛି ଖବର ଦେଲେ । ତେବେ ରେଡ୍ ବେଳେ ବି ରବୀନ୍ଦ୍ରଙ୍କ ଅନୁପସ୍ଥିତି ସନ୍ଦେହକୁ ଆହୁରି ଘନୀଭୂତ କରିଛି ।