ଭାରତ ବିରୁଦ୍ଧରେ ମିଳିତ ଷଡ଼ଯନ୍ତ୍ର ନୁହେଁ ତ ? ଚୀନ ଠାରୁ ୪୮ଟି ଅତ୍ୟାଧୁନିକ ଡ୍ରୋନ୍ କିଣିବ ପାକିସ୍ତାନ୍

46

କନକ ବ୍ୟୁରୋ : ପାକିସ୍ତାନ ଖୁବ ଶୀଘ୍ର ଚୀନ ଠାରୁ ୪୮ଟି ଅତ୍ୟାଧୁନିକ ଡ୍ରୋନ୍ କିଣିବ । ସବୁଠାରୁ ବଡ଼ କଥା ହେଲା ପାଗରେ ପରିବର୍ତ୍ତନ ହେଲେ ମଧ୍ୟ ଏହି ଡ୍ରୋନ୍ କାମ କରିବ । ତେବେ ପାକିସ୍ତାନଓ ଚୀନର ଏହି କିଣାବିକା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ପାକିସ୍ତାନୀ ସେନାର ସୂତ୍ର ଅନୁସାରେ ଏହା ସବୁଠାରୁ ବଡ଼ ସୈନ୍ୟ ଡିଲ୍ ଅଟେ । ତେବେ ଏନେଇ କେତେ ଟଙ୍କା ଖର୍ଚ୍ଚ ହେବ ତାହାର କୌଣସି ସଠିକ୍ ସୂଚନା ନାହିଁ । ଚୀନ୍ ପାକକୁ ବିକ୍ରି କରୁଥିବା ଡ୍ରୋନ୍ ଗୁଇନ୍ଦାଗିରି କରିବା ସହ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖେ ।

ସୂଚନାଯୋଗ୍ୟ ରୁଷ ତାର ମିତ୍ର ଦେଶ ଭାରତକୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ବିକ୍ରି କରିବ ବୋଲି ଗତ ସପ୍ତାହରେ ଚୁକ୍ତି କରିବା ପରେ ଏବେ ଚୀନ ପାକିସ୍ତାନକୁ ସାମରିକ ସହାୟତାର ହାତ ବଢ଼ାଇଛି । ଚୀନ ଠାରୁ ବିଭିନ୍ନ ଭାବେ ଋଣ ନେଇ ଚୀନର ଆର୍ଥିକ ଚାପ ତଳେ ଦବି ହୋଇ ରହିଥିବା ପାକିସ୍ତାନକୁ ଚୀନ ପୁଣି ୪୮ଟି ହାଇ ଏଣ୍ଡ ମିଲିଟାରି ଡ୍ରୋନ୍ ଯୋଗାଇବ ବୋଲି ଘୋଷଣା କରିଛି । ଯଦିଓ ଏହି ଡ୍ରୋନର ମୂଲ୍ୟ କେତେ ତାହା ସରକାରୀ ଭାବେ ଘୋଷଣା କରାଯାଇ ନାହିଁ, ତଥାପି ଚୀନର ସରକାରୀ ଗଣମାଧ୍ୟମ ଏହି ଡ୍ରୋନ୍ ବିକ୍ରି ନେଇ ରିପୋର୍ଟ ପ୍ରକାଶ କରିଛି । ଏହା ଫଳରେ ପାକିସ୍ତାନ ପୁଣି ଚୀପନର ଋଣଭାରରେ ବୁଡ଼ିଯିବ ।

ଓ୍ଵିଙ୍ଗ ଲୁଙ୍ଗ -୨ ନାମକ ଏହି ମାନବବିହୀନ ଅତ୍ୟାଧୁନିକ ଡ୍ରୋନ ଚୀନର ଚେଙ୍ଗଡୁ ଏୟାରକ୍ରାଫ୍ଟ ଇଣ୍ଡଷ୍ଟିଆଲ କମ୍ପାନି ନିର୍ମାଣ କରୁଛି । ଏଥିରେ ଚୀନ ସରକାରଙ୍କର ମଧ୍ୟ ଅଂଶ ରହିଛି। ସୂଚନାଯୋଗ୍ୟ ଯେ ଚୀନ ହେଉଛି ପାକିସ୍ତାନୀ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଉ ଥିବା ସବୁଠାରୁ ବଡ଼ ଦେଶ। ଉଭୟ ଚୀନ ଓ ପାକିସ୍ତାନ ମିଳିତ ଭାବେ ସିଙ୍ଗଲ ଇଞ୍ଜିନ ମଲ୍ଟି ରୋଲ କମ୍ବାଟ ଏୟାରକ୍ରାଫ୍ଟ ( ସିଙ୍ଗଲ ଇଞ୍ଜିନ ଳଢ଼ୁଆ ବିମାନ) ନିର୍ମାଣ କରୁଛନ୍ତି । ତେବେ ଭାରତକୁ ରୁଷ ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ୍ ବିକ୍ରି କରିବ ବୋଲି ଚୁକ୍ତି କରିବାର ସପ୍ତାହ ନ ପୁରୁଣୁ ଚୀନ ପାକିସ୍ତାନକୁ ଏହି ୪୮ଟି ଡ୍ରୋନ ବିକ୍ରି କରିବ ବୋଳି ଘୋଷଣା କରି ଭାରତୀୟ ଉପମହାଦେଶରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ବଢ଼ାଇବାକୁ ଚେଷ୍ଟା କରୁଛି ।