ଚୀନ କାରଖାନାରେ ଛପାଯାଉଛି କି ଭାରତୀୟ ଟଙ୍କା ? ଆନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବାପରେ ଟୁଇଟ୍ ଜରିଆରେ ଚିନ୍ତାବ୍ୟକ୍ତ କଲେ ଶଶୀ ଥରୁର

43

କନକ ବ୍ୟୁରୋ : ଭାରତରେ ମିଳୁଥିବା ଟଙ୍କା ଚୀନରେ ଛପା ଯାଉଛି କି ? ଏପରି ଏକ ଖବର ପ୍ରଚାରିତ ହେବା ପରେ ସାରା ଭାରତର ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଆସିବା ସ୍ୱାଭିବିକ କଥା । ତେବେ ଭାରତ ଓ ଚୀନ ମଧ୍ୟରେ ଡୋକଲାମରେ ଅନେକ ସମୟରେ ବିବାଦ ଦେଖାଯାଇଛି । କେବଳ ଯେ ଡୋକଲାମ ଅଞ୍ଚଳରେ ବିବାଦ ତାହା ନୁହେଁ ବରଂ ଦିଦ୍ଧତ ଓ ଦଲାଇନାମା ପ୍ରସଙ୍ଗରେ ଭାରତ ଓ ଚୀନ ମୁହିଁମୁହିଁ ହୋଇଛନ୍ତି । ଉଭୟ ଦେଶର ଶୀର୍ଷ ନେତା ବର୍ଷକୁ ୩ ଥର ଭେଟୁଥିଲେ ମଧ୍ୟ ଉଭୟ ଦେଶ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ।

 

ତେବେ ଏବେ ଚୀନର ଆର୍ନ୍ତଜାତିକ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଭାରତୀୟମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ‘ଦି ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ ରିପୋର୍ଟରେ କୁହାଯାଇଛି ଯେ ଚୀନର ବିଭିନ୍ନ ଟଙ୍କା ଛପାଖାନାରେ ଗତ କିଛିଦିନ ହେବ ବିପୁଳ ପରିମାଣର ବିଦେଶୀ ଟଙ୍କା ଛପା ଯାଉଛି । ଚାଇନା ବ୍ୟାଙ୍କନୋଟ ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରସନର ଅଧ୍ୟକ୍ଷ ଲୁଇ ଗୁଇସେଙ୍ଗଙ୍କ ଏକ ଆଲେଖକୁ ଭିତ୍ତି କରି ‘ଦି ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ ରିପୋର୍ଟ କରିଛି ଯେ , ଚୀନ ସରକାର ଭାରତ ସମେତ ବିଭିନ୍ନ ବିଦେଶୀ ରାଷ୍ଟ୍ର ଟଙ୍କା ଛପାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ବିଭିନ୍ନ ଟଙ୍କା ଛପା କାରଖାନାରେ କାର୍ଯ୍ୟଭାର ଖୁବ୍ ବଢ଼ି ଯାଇଛି। ବିଶେଷକରି ୨୦୧୩ର ବେଲ୍ଟ ଆଣ୍ଡ ରୋଡ୍ ପ୍ଲାନ୍ ପରେ ଚୀନର  ଟଙ୍କା ଛପାଇବା ପାଇଁ ଚୀନ ସରକାର ସଫଳତାର ସହିତ ଅନ୍ୟ ଦେଶକୁ ମନାଇପାରିଛନ୍ତି ଓ ଏଥିପାଇଁ ଚୁକ୍ତି ମଧ୍ୟ କରିଛନ୍ତି। ଏଥିରେ ଥାଇଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ, ଭାରତ, ବ୍ରାଜିଲ ଓ ପୋଲାଣ୍ଡ ପରି ଦେଶ ଥିବା ରିପୋର୍ଟରେ କୁହାଯାଇଛି ।

 

ଆଉ ଏହି ରିପୋର୍ଟକୁ ଆଧାର କରି କଂଗ୍ରେସ ନେତା ତଥା ସାଂସଦ ଶଶୀ ଥରୁର ଟ୍ଵିଟ୍ ଜରିଆରେ ଚିନ୍ତାବ୍ୟକ୍ତ କରିଛନ୍ତି। ଥରୁର କହିଛନ୍ତି, ଏହା ସତ ହୋଇଥିଲେ ସାଂଘାତିକ। ଏହା ଦେଶର ସୁରକ୍ଷା ପ୍ରତି ବିପଦ ସ୍ଷ୍ଟି କରିବ। ବିଶେଷ କରି ଜାତୀୟ ସୁରକ୍ଷା ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ଶ୍ରୀ ଥରୁର କହିଛନ୍ତି। ତେବେ ଏ ନେଇ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଜାରି କରାଯାଇ ନାହିଁ।