ଚୀନରେ ଏକଛତ୍ରବାଦ ଯୁଗର ଆରମ୍ଭ! ସି ଜିନପିଙ୍ଗ୍ ଏବେ ଚୀନର ସର୍ବେସର୍ବା, ଆଜୀବନ ରହିବେ ରାଷ୍ଟ୍ରପତି । ଦେଶର ସମ୍ବିଧାନରେ ଐତିହାସିକ ପରିବର୍ତନ

92

କନକ ବ୍ୟୁରୋ : ଚୀନରେ ଆରମ୍ଭ ହେଲା ଏକଛତ୍ରବାଦ ଶାସନର ଯୁଗ । ଆଜୀବନ ରାଷ୍ଟ୍ରପତି ରହିବେ ସି ଜିନପିଙ୍ଗ୍ । ପାର୍ଲିଆମେଂଟରେ ଏ ନେଇ ସମ୍ବିଧାନକୁ ସଂଶୋଧନ କରାଯାଇଛି । ସମ୍ବିଧାନ ସଂଶୋଧନ ପରେ ଏକକ ଶାସନ ଭାର ଦିଆଯାଇଛି ଜିନପିଙ୍ଗଙ୍କୁ । ଏହାର ଅର୍ଥ ହେଉଛି କମ୍ୟୁନିଷ୍ଟ ପାର୍ଟିଠାରୁ ଆରମ୍ଭ କରି ପ୍ରଶାସନିକ ବ୍ୟବସ୍ଥାର ସେ ହିଁ ସର୍ବେସର୍ବା । କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି ତାଙ୍କରି ଭିଜନ୍ ଓ ଦୁର୍ନୀତି ମୁକ୍ତ ଆଭିମୁଖ୍ୟ ଯୋଗୁଁ ଉଭୟ ଆର୍ଥିକ ଓ ସାମରିକ ପାୱାର ହାଉସ ହୋଇପାରିଛି ଚୀନ । ଭାରତ-ଚୀନର ତିକ୍ତ ସଂପର୍କ ଦୃଷ୍ଟିରୁ ଏବେ ଦୁଇ ଦେଶର ସଂପର୍କ କେଉଁ ମୋଡ଼ ନେବ, ଏହା ଉପରେ ସମସ୍ତଙ୍କ ନଜର ।

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏପରି ଅଧିକାର ଦିଆଯାଇଛି ଯାହା ଜାଣିଲେ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ର ଆଶ୍ଚର୍ଯ୍ୟ ହୋଇଯିବେ । ସି ଜିନପିଙ୍ଗଙ୍କୁ ଆଜୀବନ ରାଷ୍ଟ୍ରପତି ହେବାର କ୍ଷମତା ମିଳିଛି । ଅର୍ଥାତ୍ ଜୀବନ ଥିବା ପର୍ଯ୍ୟନ୍ତ ସେ ଚୀନର ରାଷ୍ଟ୍ରପତି ରହିବେ । ତାଙ୍କ ହାତରେ ରହିବ ସବୁ କ୍ଷମତା । ଚୀନର ସମ୍ବିଧାନରେ ସଂଶୋଧନ କରାଯାଇ ଏକକ ଶାସନ ଭାର ଦିଆଯାଇଛି ଜିନପିଙ୍ଗଙ୍କୁ । ଏହାର ଅର୍ଥ ହେଉଛି, ସବୁ ଅନୁଷ୍ଠାନର ସେ ହିଁ ମୁଖ୍ୟ । କମ୍ୟୁନିଷ୍ଟ ପାର୍ଟିଠାରୁ ଆରମ୍ଭ କରି ପ୍ରଶାସନିକ ବ୍ୟବସ୍ଥାର ସେ ହିଁ ସର୍ବେସର୍ବା । ଚୀନ ପାର୍ଲିଆମେଂଟରେ ଦେଶର ସମ୍ବିଧାନ ସଂଶୋଧନ କରାଯାଇଛି । ପୂର୍ବରୁ ସମ୍ବିଧାନ ଅନୁଯାୟୀ ଜଣେ ରାଷ୍ଟ୍ରପତି ୫ ବର୍ଷିୟା ଦୁଇଟି ଟର୍ମ ରହିପାରିବା ବ୍ୟବସ୍ଥା ଥିଲା । ସମ୍ବିଧାନ ସଂଶୋଧନ କରାଯାଇ ଜିନପିଙ୍ଗଙ୍କୁ ଦିଆଯାଇଛି ଆଜୀବନ ରାଷ୍ଟ୍ରପତି ରହିବା ଅଧିକାର ।

ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଉପରେ ୨୯୬୩ ସଦସ୍ୟ ବିଶିଷ୍ଟ ଚୀନ ସଂସଦରେ ୨୯୫୮ ଜଣ ଜିନପିଙ୍ଗ୍ଙ୍କ ସପକ୍ଷରେ ମତ ଦେଇଥିଲେ । ମାତ୍ର ଦୁଇ ଜଣ ଜିନପିଙ୍ଗଙ୍କୁ ବିରୋଧ କରିଥିଲେ । ୩ ଜଣ ସଦସ୍ୟ ଗୃହରେ ଉପସ୍ଥିତ ନଥିଲେ । ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା କରିଥିବା ମାଓ ସେ ତୁଙ୍ଗଙ୍କ ସମକକ୍ଷ ସମ୍ମାନ ମିଳିଛି ଜିନପିଙ୍ଗଙ୍କୁ । ସମ୍ବିଧାନ ସଂଶୋଧନ ପରେ ମିଳିତ ନେତୃତ୍ୱ ନେଇ ସିଭିଲ୍ ସୋସାଇଟିର ଦାବି ଉପରେ ପାଣି ପଡିଯାଇଛି । କମ୍ୟୁନିଷ୍ଟ ପାର୍ଟି, ସରକାର, ପିପୁଲସ ଲିବରେସନ୍ ଆର୍ମି, ଗଣମାଧ୍ୟମ ଆଦି ସବୁ ବ୍ୟବସ୍ଥା ରହିବ ସି ଜିନପିଙ୍ଗଙ୍କ ନିୟନ୍ତ୍ରଣରେ ।

୨୦୧୨ ମସିହାରେ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଭାବେ କ୍ଷମତାକୁ ଆସିଥିଲେ ସି ଜିନପିଙ୍ଗ୍ । ପୂର୍ବ ସମ୍ବିଧାନ ଅନୁଯାୟୀ ୨୦୨୨ରେ ରାଷ୍ଟ୍ରପତି ପଦରୁ ସେ ଅବ୍ୟାହତି ନେଇଥାନ୍ତେ । ହେଲେ ଏହା ପୂର୍ବରୁ ଦଳକୁ ସପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଥିଲେ ଜିନପିଙ୍ଗ୍ । ଏବେ ତାଙ୍କୁ ମିଳିଛି ଆଜୀବନ ରାଷ୍ଟ୍ରପତି ରହିବା ଅଧିକାର । କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି ତାଙ୍କରି ଭିଜନ୍ ଯୋଗୁଁ ଚୀନ, ବିଶ୍ୱର ଉଭୟ ଆର୍ଥିକ ଓ ସାମରିକ ପାୱାର ହାଉସ ଭାବେ ଉଭା ହୋଇଛି ।

ଡୋକଲାମ୍ ପ୍ରସଙ୍ଗକୁ ନେଇ ଚୀନ ସହ ତିକ୍ତ ହୋଇଥିଲା ଭାରତର ପ୍ରସଙ୍ଗ । ସେପଟେ ପାକିସ୍ତାନ ସହ ରହିଛି ଚୀନର ନିବିଡ଼ ସଂପର୍କ । ଏହିଭଳି ସ୍ଥିତିରେ ସି ଜିନପିଙ୍ଗ୍ ଆଜୀବନ ରହିବେ ଚୀନର ରାଷ୍ଟ୍ରପତି । ଆଗକୁ ଦୁଇ ଦେଶର ସଂପର୍କ କେଉଁ ମୋଡ ନେବ, ଏ ନେଇ ଆରମ୍ଭ ହୋଇଛି ଜୋରଦାର ତର୍ଜମା ।