ଟ୍ରାଫିକ ନିୟନ୍ତ୍ରଣ ପାଇଁ ନୂଆ ଫଣ୍ଡା ଆପଣାଇଛନ୍ତି ପ୍ରତାପ ! ନାଚି ନାଚି ଦେଉଛନ୍ତି ଟ୍ରାଫିକ ସିଗନାଲ, ଗାଡି ଚାଳକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ପ୍ରତାପଙ୍କ ଡ୍ୟାନ୍ସିଂ ଷ୍ଟାଇଲ

49

କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରି ଛକରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଏପରି ଜଣେ ହୋମଗାର୍ଡକୁ ଦେଖିବେ, ଯାହା ଆପଣକୁ କେବଳ ଆମୋଦିତ କରିବନାହିଁ । ତାଙ୍କର ନିଷ୍ଠା ଦେଖିଲେ ମନରେ ସମ୍ମାନ ସୃଷ୍ଟି ହେବ । ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀରେ ସେ ଟ୍ରାଫିକ ନିୟନ୍ତ୍ରଣ କରିଥାନ୍ତି । ଗୋଟିଏ ଜାଗାରେ ଛିଡ଼ା ହୋଇ ନୁହେଁ, ଲୋକଙ୍କ ସୁରକ୍ଷା ପାଇଁ ସେ ରାସ୍ତାର ଏପଟ ସେପଟ ଦୌଡୁଥାନ୍ତି । ଲାଗୁଥାଏ ଯେପରି ନାଚି ନାଚି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ହୋମଗାର୍ଡ ଜଣକ । ରାସ୍ତା ମଝିରେ ଭିନ୍ନ ଭିନ୍ନ ମୁଦ୍ରାରେ ଟ୍ରାଫିକ ନିୟନ୍ତ୍ରଣ । କେତେବେଳେ ରାସ୍ତାରେ ବସିପଡି ତ ଆଉ କେତେବେଳେ ରାସ୍ତାର ଏପଟୁ ସେପଟୁ ଦୌଡି ଦୌଡି ଟ୍ରାଫିକକୁ ନିୟନ୍ତ୍ରଣ କରୁଛନ୍ତି ପ୍ରତାପ ।

ପ୍ରତାପ ଖଣ୍ଡୁଆଳ । ହୋମଗାର୍ଡ ଭାବେ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଖଣ୍ଡଗିରି ଛକରେ । ପ୍ରତି ମିନିଟରେ ଶହ ଶହ ଗାଡି ଯା’ଆସ କରୁଥିବା ଛକରେ ଅତି ସହଜରେ ଟ୍ରାଫିକ ପରିଚାଳନା କରୁଛନ୍ତି । ଭିନ୍ନ ଭିନ୍ନ ଅଙ୍ଗଭଙ୍ଗିରେ ଗାଡି ଗୁଡିକୁ ଗୋଟିଏ ପଟରୁ ଅନ୍ୟ ପଟକୁ ଛାଡୁଛନ୍ତି । ଯେଉଁ ଦୁଇ ଚକିଆ ଚାଳକମାନେ ହେଲମେଟ ପିନ୍ଧି ନାହାନ୍ତି, ସେମାନଙ୍କୁ ହେଲମେଟ ପିନ୍ଧିବାକୁ କହୁଛନ୍ତି ପ୍ରତାପ । ତାହା ମଧ୍ୟ ଏକ ନିଆରା ଭଙ୍ଗୀରେ । ପ୍ରତାପଙ୍କ ଏଭଳି ଟ୍ରାଫିକ ନିୟନ୍ତ୍ରଣ ଭୁବନେଶ୍ୱରବାସୀଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଉଛି । ପ୍ରତାପଙ୍କ ନିଆରା ଷ୍ଟାଇଲରେ ଗାଡ଼ି ଚାଳକମାନେ ସଚେତନ ହେବା ସହ ତାଙ୍କର ଭିଡିଓ ଓ ଫଟୋ ଉଠାଉଛନ୍ତି ।

ପ୍ରତାପଙ୍କ ଘର କେନ୍ଦ୍ରପଡା ଜିଲ୍ଲାର ପାଟକୁରାରେ, ଏବେ ରହୁଛନ୍ତି ଭୁବନେଶ୍ୱରରେ । ୯ବର୍ଷ ହେଲା ହୋମଗାର୍ଡରେ ଚାକିରି କରିଆସୁଛନ୍ତି ପ୍ରତାପ । ତାଙ୍କର ନିଷ୍ଠା ଯୋଗୁଁ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ ବି ଉପର ଅଫିସରଙ୍କ ରୋଷର ଶିକାର ହୋଇଥିବା କ୍ଷୋଭର ସହ କୁହନ୍ତି ପ୍ରତାପ ।