କାଳ ପାଲଟିଲା କାଳିଜାଇ ଯାତ୍ରା : ଚିଲିକା ଡଙ୍ଗାବୁଡି ଘଟଣାରେ ସମସ୍ତ ୬ଜଣଙ୍କ ମୃତଦେହ ଉଦ୍ଧାର, ୧୦ଜଣ ହସ୍ପିଟାଲରେ ଭର୍ତ୍ତି

52

କନକ ବ୍ୟୁରୋ : ଚିଲିକା ମଝିରେ ଡଙ୍ଗା ବୁଡିଯିବା ପରେ ଉଠୁଛି ଅନେକ ପ୍ରଶ୍ନ । କାରଣ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଆଜି ୪ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍ ଓ ବୁଡାଳି । ଗତକାଲି ୨ଟି ମୃତଦେହ ଉଦ୍ଧାର ହୋଇଥିଲା । ସେପଟେ ୧୦ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କାଳିଜାଇ ଦର୍ଶନ ସାରି ବାଲୁଗାଁ ଫେରୁଥିବାବେଳେ ଅଚାନକ କାଳବୈଶାଖୀ ବର୍ଷା ଓ ଝଡ ତୋଫାନ ଯୋଗୁଁ ଓଲଟି ପଡିଲା ବୋଟ୍ । ପ୍ରଶ୍ନ ଉଠୁଛି ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ବି ଏହାକୁ ଏଡାଇବା ପାଇଁ କାହିଁକି ପଦକ୍ଷେପ ନିଆଯାଉନାହିଁ । ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଯେଉଁସବୁ ନିୟମ ରହିଛି ତାହାକୁ ପାଳନ କରୁଛନ୍ତି ତ ଘରୋଇ ବୋଟ୍ ।

ନାଉରିଆ ସମେତ ଡଙ୍ଗାରେ ସବାର ୧୬ଜଣ ଖୁସି ମନରେ କାଳିଜାଇ ଦର୍ଶନ ସାରି ବାଲୁଗାଁ ଫେରୁଥିଲେ । ଶେଷ ରଜରେ ମାଆ କାଳିଜାଇଙ୍କ ଦର୍ଶନ କରି ଫେରୁଥିବାବେଳେ ମନରେ ଥିଲା ଅପୂର୍ବ ଉତ୍ସାହ । ହେଲେ ଏହି ଖୁସି ବେଶି ସମୟ ରହିନଥିଲା । କାରଣ ମଝି ହ୍ରଦରେ ଡଙ୍ଗା ପହଂଚିଲା ବେଳକୁ ହଠାତ ମାଡିଆସିଥିଲା କଳା ହାଣ୍ଡିଆ ମେଘ ସାଙ୍ଗକୁ ଝଡ ପବନ । ଆଉ ସମସ୍ତଙ୍କ ମନରେ ପଶିଯାଇଥିଲା ଛନକା । ଭୟ ଆତଙ୍କ ଖେଳାଇ ଦେଇଥିଲା, ଯେତେବେଳେ ଡଙ୍ଗା ଭିତରେ ପଶିଗଲା ପାଣି । ଛାନିଆରେ କିଛି ଯାତ୍ରୀ ଡଙ୍ଗାରୁ ପାଣିକୁ ଡେଇଁ ପଡିଲେ । ଆଉ ସନ୍ତୁଳନ ହରାଇ ଚାହୁଁଚାହୁଁ ଡଙ୍ଗାଟି ଓଲଟି ପଡିଲା ।

ଖବର ପାଇ ଉଦ୍ଧାରକାରୀ ଦଳ ପହଂଚିଲାବେଳକୁ ନିଖୋଜ ହୋଇସାରିଥିଲେ ୬ଜଣ । ଦୁର୍ଘଟଣାସ୍ଥଳକୁ ଛୁଟିଥିଲା ୬ଟି ପାୱାର ବୋଟ୍ । ୪୦ ଜଣିଆ ଓଡ୍ରାଫ ଟିମ୍ ଓ ୧୬ ଜଣ ବୁଡାଳି ବିଳମ୍ବିତ ରାତି ଯାଏଁ ଖୋଜାଖୋଜି କରି ୨ଟି ମୃତଦେହ ଓ ୧୦ଜଣଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇଥିଲେ । ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲୁଗାଁ ଡାକ୍ତରଖାନାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।

ଆଜି ସକାଳୁ ଅନ୍ୟ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏମାନଙ୍କ ଭିତରେ ଜଣେ ମହିଳା, ୨ଜଣ ଯୁବତୀ ଓ ଜଣେ ଶିଶୁପୁତ୍ର ଅଛନ୍ତି । ଆତ୍ମୀୟଙ୍କୁ ହରାଇ କୋହ ଫଟାଇ କାନ୍ଦୁଛନ୍ତି ସଂପର୍କୀୟ । ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାବେଳେ ଅସୁରକ୍ଷିତ ଯାତ୍ରାକୁ ନେଇ ଉଠିଛି ପ୍ରଶ୍ନ । ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।