କୁନି କୁନି ପିଲା ଖାଉଛନ୍ତି ଗମରା ଛତୁଆ : ମାଲକାନଗିରିର ଅଧିକାଂଶ ଅଙ୍ଗନବାଡ଼ିରେ ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଛତୁଆ, ରାଜ୍ୟ ପରୀକ୍ଷାଗାରରୁ ମିଳିଲା ସାଂଘାତିକ ରିପୋର୍ଟ

242

କନକ ବ୍ୟୁରୋ : ପିଲା ଖାଉଛନ୍ତି ଗମରା ଛତୁଆ । ମାଲକାନଗିରିର ଅଧିକାଂଶ ଅଙ୍ଗନବାଡ଼ିରେ ପିଲାଙ୍କୁ ଦିଆଯାଉଛି ଅସୁରକ୍ଷିତ ଛତୁଆ । “ଖାଦ୍ୟ ସୁରକ୍ଷା ଅଭିଯାନ’କୁ ରାଜ୍ୟ ପରୀକ୍ଷାଗାରରୁ ଏଭଳି ରିପୋର୍ଟ ମିଳିଛି । ମାଲକାନଗିରିର ଚିତ୍ରକୋଣ୍ଡା, ବଣ୍ଡାଘାଟି ବ୍ଲକର ଅନେକ ଅଙ୍ଗନବାଡ଼ିରୁ ନମୁନା ଆଣି ଷ୍ଟେଟ ଫୁଡଟେଷ୍ଟିଂ ଲାବ୍ରୋଟରିରେ ପରୀକ୍ଷା କଲା ପରେ ଏଭଳି ତଥ୍ୟ ପଦାକୁ ଆଣିଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ସଦସ୍ୟ ଅଖଣ୍ଡ ଓ ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ । ଏଭଳି ଭାବେ ଦେଶର ସମ୍ପଦ କୁହାଯାଉଥିବା କୋମଳମତି ପିଲାଙ୍କୁ ଧୀରେ ଧୀରେ ବିଷ ଦିଆଯାଉଛି ବୋଲି ସେମାନେ କହିଛନ୍ତି ।

ଅନ୍ୟପକ୍ଷରେ ଅନେକ ଅଙ୍ଗନବାଡ଼ିରେ ୨ କେଜି ପ୍ୟାକେଟ୍ରେ ୨୦୦ ଗ୍ରାମ ପର୍ଯ୍ୟନ୍ତ କମ୍ ଓଜନ ରହୁଥିବା ଦେଖାଯାଇଛି । ତୃତୀୟ ପକ୍ଷ ଅଡିଟ୍ ଦ୍ୱାରା ହିଁ କେବଳ ଏହାର ସମାଧାନ ହୋଇପାରିବ । ମାତ୍ର ସିଡିପିଓ, ଡିଏସ୍ଡବ୍ଲ୍ୟୁଓ, ଏସ୍ଏଚ୍ଜିଙ୍କ ପଛରେ ଥିବା ବେପାରୀ ଓ ନେତା ପିସି ନେଉଥିବାରୁ ଗତ ୫ ବର୍ଷ ହେଲା ଏହା ବନ୍ଦ ହୋଇପାରୁନାହିଁ ବୋଲି ସେମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ସହ ଅଭିଯୋଗ କରିଛନ୍ତି ।