ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ ! ମୁଖ୍ୟ ସଚିବଙ୍କୁ ମାଡ ମାମଲାରେ ୨୫ଅକ୍ଟୋବରରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ।

57

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ । ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ଦୁର୍ବବ୍ୟହାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଓ ୧୧ଜଣ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ ହାଜର ହେବା ପାଇଁ ନୋଟିସ୍ ଦେଇଛନ୍ତି ପଟିଆଲା ହାଉସ କୋର୍ଟ । ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ସହ ମାରପିଟ ମାମଲାରେ ୨୫ଅକ୍ଟୋବରରେ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ଦିଲ୍ଲୀ ପୁଲିସର ଚାର୍ଜସିଟ ଆଧାରରେ କୋର୍ଟ ଏହି ସମନ ଜାରି କରିଛନ୍ତି । ପୁଲିସର ୧୩ହଜାର ପୃଷ୍ଠାର ଚାର୍ଜସିଟରେ କେଜ୍ରିୱାଲ, ସିଶୋଦିୟା ଓ ୧୧ଜଣ ବିଧାୟକଙ୍କ ଉପରେ ଷଡଯନ୍ତ୍ର କରିଥିବା ଅଭିଯୋଗ ରହିଛି ।

ଯେଉଁଥିରେ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ଧମକ ଦେବା, ତାଙ୍କ କାର୍ଯ୍ୟରେ ବାଧା ପଂହଚାଇବା ଓ ତାଙ୍କ ସହ ମାରପିଟ କରିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଥିଲା ଯାହାକୁ ଭିତି କରି ହାଜର ହେବା ପାଇଁ କୋର୍ଟ ସମନ ଜାରି କରିଛନ୍ତି । ଫେବ୍ରୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନିବାସରେ ବୈଠକ ପାଇଁ ପହଂଚିଥିବା ବେଳେ ତାଙ୍କ ସହ ମାରପିଟ ହୋଇଥିବା ମୁଖ୍ୟ ସଚିବ ଅଂଶୁ ପ୍ରକାଶ ଅଭିଯୋଗ କରିଥିଲେ । ପୁଲିସ ମୁତାବକ ଯେଉଁ ସମୟରେ ଏହି ଘଟଣା ଘଟିଲା ସେହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।