ଛୁଆର ଜୀବନ ବଞ୍ଚାଇବା ପାଇଁ ମା’ର ସଂଘର୍ଷ! ଶେଷରେ ହାରିଗଲା ମା’, ମରିଗଲେ ୫ କୁନି କୁକୁର

63

କନକ ବ୍ୟୁରୋ : ତମ୍ପ କଲା ତାଣ୍ଡବ । ବିଷାକ୍ତ ସାପ ଚୋଟ ପରେ ଚୋଟ ମାରି ନେଲା କୁକୁର ଛୁଆଙ୍କ ଜୀବନ । ଛୁଆଙ୍କୁ ବଂଚାଇବାକ୍ୁ ଚେଷ୍ଟା କରି ମଧ୍ୟ ହାର ମାନିଲା ମାଆ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ସାତଭଉଣୀ ବଜାରରେ ।

ପଶୁ ହେଉ ବା ମଣିଷ ବଂଚିବାକୁ କିଏ ବା ନ’ଚାହେଁ । ଆଉ ଆଖି ସାମ୍ନାରେ ଯେବେ ମୃତ୍ୟୁର ଦୂତ ପହଂଚିଯାଏ, ଜୀବନ କେମିତି ଛଟପଟ ହୁଏ, ତାହା ସାମ୍ନାକୁ ଆସିଛି । ମା’ର ଆଖି ଆଗରେ କୁନି କୁନି ଛୁଆକୁ ଚୋଟ ମାରି ଚାଲିଛି ସାପ । ମା’ କୁକୁର ପିଲାଙ୍କୁ ବଂଚାଇବାକୁ କେତେ ଚେଷ୍ଟା ନକରିଛି । ହେଲେ ଜୀବନ-ମୃତ୍ୟୁର ଏହି ଲଢ଼େଇରେ ବଳି ପଡ଼ି ଯାଉଛନ୍ତି କୁକୁର ଛୁଆ । ତମ୍ପ ସାପ ଚୋଟରୁ ପିଲାଙ୍କୁ ବଂଚାଇବା ପାଇଁ ମା’ କୁକୁର ବହୁତ ଚେଷ୍ଟା କରିଛି । ବିଷଧର ସାପ ସହ ମୁହଁମୁହିଁ ହୋଇଛି । ହେଲେ କୁନି କୁକୁରଙ୍କୁ ବଂଚାଇବାରେ ସଫଳ ହୋଇନି ମା’ । ସାପ ଚୋଟରେ ଆଖି ବୁଜି ଦେଇଛନ୍ତି ୫ଟି କୁକୁର ଛୁଆ ।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲାର ସାତଭଉଣୀ ଗାଁରେ । ବିଜୟ ପରିଡା ନାମକ ଜଣେ ବ୍ୟକ୍ତିଙ୍କ ସିଡି ଘରେ ଏକ ପୋଷା କୁକୁର ୬ଟି ଛୁଆ ଜନ୍ମ ଦେଇଥିଲା । ସୋମବାର ରାତିରେ ହଠାତ୍ ଏକ ତମ୍ପ ସାପ ଘରେ ପଶିଥିଲା । ସାପ ଦେଖି, ଜୋରରେ କୁକୁର ଭୁକିବାରୁ ଘର ଲୋକେ ଉଠି ପଡିଥିଲେ । ଆଉ ସିଡି ଘର ତଳକୁ ଯାଇ ଲାଇଟ୍ ଲଗାଇବା ପରେ ଯାହା ଦେଖିଥିଲେ ତାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତମ୍ପ ସାପ ଘରେ ପଶି କୁକୁର ଛୁଆଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲା । ଆଉ ମା’ କୁକୁରଟି ଉପାୟ ନପାଇ ବିକଳରେ ଭୁକି ଚାଲିଥିଲା । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଁଚି ସାପଟିକୁ କାବୁ କରିଥିଲେ ସତ । ହେଲେ ସେତେ ବେଳେକୁ ତମ୍ପ ସାପର ଚୋଟରେ ୫ଟି କୁକୁର ଛୁଆଙ୍କ ମୃତ୍ୟୁ ହୋଇ ସାରିଥିଲା ।