ସୁପ୍ରିମକୋର୍ଟରେ ସରକାରଙ୍କ ସଙ୍କେତ ! ମାର୍ଚ୍ଚ ୩୧ ପରେ ବଢିପାରେ ଆଧାର ଲିଙ୍କ୍ ଅବଧି

34

କନକ ବ୍ୟୁରୋ : ବଢିପାରେ ଆଧାର ଲିଙ୍କ ଅବଧି । ବିଭନ୍ନ ସେବା ପାଇବା ପାଇଁ ଆଧାର ସଂଯୋଗ ସମୟସୀମା ଚଳିତ ମାସ ୩୧ ତାରିଖ ରଖାଯାଇଥିବା ବେଳେ ସରକାର ଏହି ସମୟସୀମା ବୃଦ୍ଧି କରିପାରନ୍ତି । କେନ୍ଦ୍ର ସରକାର କେ.କେ ବଣୁଗୋପାଳ ସୁପ୍ରିମକୋର୍ଟରେ ଏଭଳି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଆଧାର ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଛି । ଏହି ଶୁଣାଣି ଶେଷ ହେବା ପାଇଁ ଅଧିକ ସମୟ ଆବଶ୍ୟକ ପଡିପାରେ । ତେଣୁ ସରକାର ଆଧାର ସଂଯୋଗ ପାଇଁ ଧାର୍ଯ୍ୟ ହୋଇଥିବା ମାର୍ଚ୍ଚ ୩୧ ସମୟସୀମାକୁ ବୃଦ୍ଧି କରିପାରନ୍ତି ବୋଲି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠକୁ ଜଣାଇଛନ୍ତି ।

ସୂଚନା ଅନୁସାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଲମ୍ବା ସମୟ ଧରି ଆଧାର ମାମଲା ଉପରେ ଚାଲୁଥିବା ଶୁଣାଣି ପୁରା କରିବା ପାଇଁ ଆଉ ସମୟ ଦରକାର ବୋଲି କହିଛନ୍ତି । ଆଉ ଏହାର ସମୟସୀମା ୩୧ ମାର୍ଚ୍ଚକୁ ବଢ଼ାଇବାର ସମ୍ଭାବନା ରହିଛି । ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଏକେ ସିକ୍ରି, ଜଷ୍ଟିସ୍ ଏଏମ ଖାନୱିଲକର, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଜ ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ପାଂଚ ଜଣିଆ ସମ୍ବିଧାନ ଖଣ୍ଡପୀଠରେ ବେଣୁଗୋପାଳଙ୍କ ଦଲିଲ ଉପରେ ସହମତି ପ୍ରଦାନ କରିଛନ୍ତି । ଏହି ପୀଠ କହିଛି ଆଟର୍ଣ୍ଣି ଜେନେରାଲ ବିଲକୁଲ ଠିକ ମାମଲା ଉଠାଇଛନ୍ତି । ସୂଚନାଯୋଗ୍ୟ ବିଗତ ୧୫ ଡିସେମ୍ବରରେ ସର୍ବୋଚ୍ଚ ଅଦାଳତ ଆଧାର ଲିଙ୍କ୍ କରାଇବାର ସମୟସୀମା ୩୧ ମାର୍ଚ୍ଚ ବୋଲି ନିର୍ଦ୍ଦେଶ ଦେଇଥିଲେ ।