ସିବିଆଇ ବଢାଇଲା ସଂଶୟ : ଭୁବନେଶ୍ୱର ଆସି ତନାଘନା ଆରମ୍ଭ କଲେ ସ୍ୱତନ୍ତ୍ର ନିର୍ଦ୍ଦେଶକ

38

କନକ ବ୍ୟୁରୋ : ପୁଣି ସିବିଆଇ ଆରମ୍ଭ କଲା ଚିଟଫଣ୍ଡ ଦୁର୍ନୀତିର ତନାଘନା । ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଭୁବନେଶ୍ୱର କାର୍ଯ୍ୟାଳୟରେ ଚିଟଫଣ୍ଡ ଦୁର୍ନୀତି ତଦନ୍ତର ସମୀକ୍ଷା କରିଛନ୍ତି । ଏପଟେ ସିବିଆଇର ମାରାଥନ ବୈଠକକୁ ନେଇ ନେତା ଓ ଅଫିସର ଛାନିଆ ହୋଇପଡିଛନ୍ତି । ଜୁଲାଇ ୧ରେ ବିଜେପି ରାଷ୍ଟୀୟ ସଭାପତି ଅମିତ ଶାହା ଓଡିଶା ଆସୁଥିବାରୁ ଠିକ୍ ଏହି ସମୟରେ ସିବିଆଇ ସକ୍ରିୟ ହେବା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ଦୁଇ ଦିନ ଧରି ସିବିଆଇ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ବିଭିନ୍ନ ଚିଟଫଣ୍ଡ ମାମଲାର ତଦନ୍ତକାରୀ ଅଫିସର ଉପସ୍ଥିତ ଥିଲେ । ତଦନ୍ତ ହେଉଥିବା ମାମଲାର କେତେ ଅଗ୍ରଗତି ହୋଇଛି ଆଉ କେତେ ଚାର୍ଜସିଟ ଦାଖଲ ହୋଇଛି ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସୂଚନା ଅନୁସାରେ ୨୦୧୪ ନଭେମ୍ବର ଠାରୁ ସିବିଆଇ ୪୪ଟି ଚିଟଫଣ୍ଡ କଂପାନୀର ତଦନ୍ତ କରୁଛି ।

ସେପଟେ ଗତକାଲି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୧୩୬ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛନ୍ତି ସରକାର । ଜମାକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ପଠାଯାଉଥିବା କଟକ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୂର୍ବରୁ ସାଲେପୁର, ବାଲେଶ୍ୱର ଓ ନୟାଗଡରେ ଟଙ୍କା ଫେରସ୍ତ କରାଯାଇଥିଲା ।