ଓସିଏ କାର୍ଯ୍ୟାଳୟରେ ସିବିଆଇ ଟିମ୍ : କୋଚଙ୍କୁ ୩ ଘଂଟା ମାରାଥନ୍ ଜେରା

23

କଟକ ବ୍ୟୁରୋ, କନକ ନ୍ୟୁଜ୍ : କ୍ରିକେଟ ଖେଳାଳିଙ୍କ ବୟସ ଜାଲିଆତି । ଏହି ସାଂଘାତିକ୍ ଅଭିଯୋଗର ଖୋଳତାଡ଼ ଚଳାଇଛି ସିବିଆଇ। ଓସିଏ କାର୍ଯ୍ୟାଳୟରେ ୩ ଜଣିଆ ଟିମ୍ କୋଚଙ୍କୁ ପଚରାଉଚରା କରିବା ସହ ବହୁ ଆବଶ୍ୟକ କାଗଜପତ୍ର ଯାଂଚ୍ କରିଛି। ଏହି ଜାଲିଆତି ଘଟଣାରେ କ୍ରିକେଟ୍ କୋଚ୍ ଡାନିଏଲ ରାଉତଙ୍କୁ ସିବିଆଇ ଟିମ୍ ୩ ଘଂଟା ଧରି ଜେରା କରିଛି।

ଗତ କଳାହାଣ୍ଡି କପ୍ ସମୟରେ ଓସିଏ ପକ୍ଷରୁ ହୋଇଥିବା ଖେଳାଳି ଚୟନ ବେଳେ ୧୬ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ଦଳରେ ବୟସ ଜାଲିଆତି ନେଇ ଅଭିଯୋଗ ହୋଇଥିଲା। ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧି ସଂଗଠନ ଏଭଳି ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲା। ମିଳିଥିବା ସୂଚନା ଅନୁସାରେ ୩୩ ଜଣ ଖେଳାଳି ଚୟନ ସମୟରେ ଭୁଲ ଜନ୍ମ ପ୍ରମାଣପତ୍ର ଦେଇଛନ୍ତି। ସେପଟେ ଏହି ବୟସ ଜାଲିଆତି ନେଇ ସିବିଆଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବୁ ବୋଲି କହିଛନ୍ତି ଓସିଏ ସଂପାଦକ।

ଏପଟେ ବୟସ ଜାଲିଆତି ନେଇ ଓସିଏ ସଂପାଦକ ଦେଇଥିବା ସଫେଇକୁ କିନ୍ତୁ ସହଜରେ ଗ୍ରହଣ କରି ନାହାଁନ୍ତି କ୍ରୀଡା ସମୀକ୍ଷକ ଏବଂ ପୂର୍ବତନ କ୍ରୀଡାବିତ୍। ୨୦୦୫ରେ ମଧ୍ୟ ଓସିଏ ବୟସ ଜାଲିଆତିରେ ଛନ୍ଦି ହୋଇଥିବା ସେମାନେ କହିଛନ୍ତି। ସେ ସମୟରେ କଲିକତାରେ ଚାଲୁଥିବା ଏକ ଟୁର୍ଣାମେଂଟରେ ଗୁଜୁରାଟ କ୍ରିକେଟ ଆସୋସିଏସନ ଏହି ଅଭିଯୋଗ ଆଣଥିଲା।

ଆଉ ଏହି ଅଭିଯୋଗକୁ ଭିତିକରି ଓଡିଶା କ୍ରିକେଟ୍ ଟିମ୍ ପୁରା ଟୁର୍ଣାମେଂଟରୁ ବାଦ୍ ପଡ଼ିଥିଲା। ଏହି ଘଟଣା ପରେ ଓସିଏ ଚେତିନଥିଲା । ଏବେ ପୁଣି ଏଭଳି ଅଭିଯୋଗ ସାମ୍ନାକୁ ଆସିଥିବାରୁ ବୟସ ଜାଲିଆତି ଘଟଣା ପଛରେ ଓସିଏ ବଡପଣ୍ଡାମାନଙ୍କ ହାତ ରହିଛି ବୋଲି କ୍ରୀଡ଼ା ସମୀକ୍ଷକମାନେ ଅଭିଯୋଗ କରିଛନ୍ତି। ସେହିପରି ଏହି ଘଟଣା ପ୍ରମାଣିତ ହେଲେ ଦୋଷୀଙ୍କୁ ୧୦ ବର୍ଷ ଯାଏଁ ଜେଲ ହେବାର ବ୍ୟବସ୍ଥା ଥିବା ଆଇନଜୀବୀ ମତ ଦେଇଛନ୍ତି।