ନାଟକୀୟ ଢ଼ଙ୍ଗରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଅଧରାତିରେ ବାନ୍ଧିଲା ସିବିଆଇ ! କୋର୍ଟରେ ହାଜର ପରେ ଜାମିନ୍ ଖାରଜ

37

କନକ ବ୍ୟୁରୋ : ବିଜୁ ଜନତା ଦଳର ଜଣେ ଦକ୍ଷ ସଂଗଠକ ତଥା କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଏକ ନାଟକୀୟ ମୋଡ଼ରେ ଗିରଫ କରିଛି ସିବିଆଇ । ବିଜେଡି-ବିଜେପି ଭିତରେ ରାଜନୈତିକ ଯୁଦ୍ଧରେ ଧିରେ ଧିରେ ତିକ୍ତତା ବଢୁଥିବା ବେଳେ ଏହି ଘଟଣା ଉଭୟଙ୍କୁ ମୁକାବିଲାମୂଳକ ସ୍ଥିତିକୁ ନେଇ ଆସିଛି । ସୋମବାର ରାତିରେ ଜେରା ପାଇଁ ଘରୁ ଡାକି ଆଣି, ବିଧାୟକଙ୍କୁ ଗିରଫ କରିଛି ସିବିଆଇ । ଆଉ ଏହି ପୁରା ଘଟଣା ପଛରେ ରହିଛି ୨୦୧୧ ମସିହାର ସେହି ଜମି ଡିଲ୍ । ଯାହା ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସହ ହୋଇଥିଲା, ଆଉ ଯେଉଁଥିପାଇଁ ପ୍ରାୟ ୧୭ଥର ଜେରା କରିଥିଲା ସିବିଆଇ ।

୨୦୧୧ ମସିହା, ଯାଜପୁର ବେଣାପୁରରେ ଥିବା ୩୨ ଗୁଣ୍ଠ ଜମି ସିସୋରକୁ ବିକ୍ରି କରିଥିଲେ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ । ପ୍ରଶାନ୍ତ ଦାସ ଏଥିପାଇଁ ଚେକ୍ ଆକାରରେ ଦେଇଥିଲେ ୨୫ ଲକ୍ଷ । ପରବର୍ତ୍ତୀ ସମୟରେ ଜମିକିଣିବା ନେଇ ସିସୋର ଅନିଚ୍ଛା ପ୍ରକାଶ କରିବାରୁ ଜମି ବଦଳରେ ଟଙ୍କା ଫେରସ୍ତ ମାଗିଥିଲେ ପ୍ରଶାନ୍ତ ଦାସ । ପ୍ରଭାତ ବିଶ୍ୱାଳଙ୍କ ଯୁକ୍ତି ଯେ, ସେ ୨୫ ଲକ୍ଷ ଟଙ୍କା ଫେରସ୍ତ କରିଛନ୍ତି । ହେଲେ ଏନେଇ ଏକ ମାତ୍ର ପ୍ରମାଣ ହେଉଛି ବଣ୍ଡ ପେପର । ହେଲେ ଏହି ବଣ୍ଡ ପେପରକୁ ବିଶ୍ୱାସକୁ ନେଇ ପାରୁନି ସିବିଆଇ ।

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଆଇପିସିର ଧାରା-୪୬୭ ଅର୍ଥାତ୍ ମନ୍ଦ ଉଦ୍ଦେଶ୍ୟ ରଖି ତଥ୍ୟ ଜାଲ କରିବା, ୪୬୮ ଅର୍ଥାତ ଦସ୍ତାବିଜରେ ଜାଲିଆତି କରିବା, ୪୦୯ ବିଶ୍ୱାସ ଭଙ୍ଗ କରିବା, ୧୨୦ ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର କରିବା ଏବଂ ୪୨୦ ଅର୍ଥାତ୍ ଠକେଇ କରିବା ଭଳି ସଂଗୀନ ଦଫା ଲଗାଇଛି ସିବିଆଇ ।

ଦୀର୍ଘ ତିନି ବର୍ଷ ଭିତରେ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପତ୍ନୀଙ୍କୁ ବାରମ୍ବାର ଜେରା କରିଛି ସିବିଆଇ । ହେଲେ କୌଣସି ନିଷ୍କର୍ସକୁ ପହଂଚିବା ପାଇଁ କାହିଁକି ଲାଗିଲା ଏତେ ସମୟ ? ଏହି ପୁରା ଘଟଣାକ୍ରମରେ ରହିଥିଲା କି କୌଣସି ରାଜନୈତିକ ଉଦ୍ଦେଶ୍ୟ ? ସମର୍ଥନରେ ଆଗେଇ ଆସିଥିଲା ବିଜେଡି । ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ ଏନଡିଏକୁ ସମର୍ଥନ ଦେଇଥିଲେ ନବୀନ । ଆଉ ଜିଏସଟି ବିଲ୍ ପାରିତ କରିବା ବେଳେ ନବୀନଙ୍କ ମତଥିଲା ମୋଦିଙ୍କ ସପକ୍ଷରେ ।

ଏହି ସବୁ ଘଟଣା ବେଳେ ଯେମିତି ଶିଥିଳ ପଡ଼ିଯାଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଆଉ ଯେତେବେଳେ ତୈଳଦର ବୃଦ୍ଧି ନେଇ ବିଜେଡି ରାସ୍ତାକୁ ଓହ୍ଲାଇଲା, ଏବଂ କେନ୍ଦ୍ର ବିରୋଧରେ ଖୋଲାଖୋଲି ଯୁଦ୍ଧର ଡାକରା ଦେଲା । ଠିକ୍ ସେହି ଦିନ ରାତିରେ ଗିରଫ ହେଲେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ।
ଏଠି ପ୍ରଶ୍ନ ଉଠୁଛି- ଏହି ସବୁ ଘଟଣା ଏକ ସଂଯୋଗ ମାତ୍ର ନା’ ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରହିଛି ? ୩ ବର୍ଷରେ ୧୭ ଥର ଜେରା ପରେ ବି କାହିଁକି ଚୁପ୍ ବସିଥିଲା ସିବିଆଇ ? ପ୍ରଭାତ ତ୍ରିପାଠୀ ଏବଂ ରାମଚନ୍ଦ୍ର ହାଁସଦାଙ୍କ ଠାରୁ ଭିନ୍ନ କି ପ୍ରଭାତ ବିଶ୍ୱାଳଙ୍କ ମାମଲା ?