ଅସରାଏ ବର୍ଷାରେ ଭାସିଲା ଭୁବନେଶ୍ୱର ! ସ୍ଥିତିକୁ ନେଇ ନିଜ ମୁଣ୍ଡରୁ ଦୋଷ ଖସାଇଲେ ମେୟର, ଏନଏଚଏଆଇଙ୍କୁ କଲେ ଦାୟୀ ।

34

କନକ ବ୍ୟୁରୋ : ଅସରାଏ ବର୍ଷାରେ ବୁଡ଼ିଲା ଭୁବନେଶ୍ୱର ଆଉ ରାଜଧାନୀର ରାଜରାସ୍ତାରେ ସୃଷ୍ଟି ହେଲା ବନ୍ୟାର ଭ୍ରମ  । ଏପରିକି ଏକାଧିକ କାର୍ ମଧ୍ୟ ଭାସିବା ଦେଖିବାକୁ ମିଳିଲା  । ତେବେ ସ୍ମାର୍ଟ ସିଟି ଭୁବନେଶ୍ୱରର ସଙ୍ଗିନ୍ ସ୍ଥିତି ସମ୍ପର୍କରେ ଜାତୀୟ ଗଣମାଧ୍ୟମର ଜୋରଦାର ଚର୍ଚ୍ଚା ବିଭିନ୍ନ ଦିଗକୁ ଦର୍ଶାଇଛି ।

ଅସରାଏ ବର୍ଷାରେ ବେହାଲ ହୋଇଯାଉଛି ସ୍ମାର୍ଟ ସିଟି ଭୁବନେଶ୍ୱରର ଚିତ୍ର  । ମୁଖ୍ୟ ରାସ୍ତାରେ ଲହଡ଼ି ମାରୁଛି ପାଣି  । ଶନିବାର ଦିନ ବର୍ଷାରେ ଇସ୍କନ୍ ମନ୍ଦିର ସାମ୍ନାରେ ପାଣିର ସୁଅ ଦେଖିଲା ବେଳେ ଲାଗୁ ଥିଲା ସତେ ଯେପରି ବନ୍ୟା ସୃଷ୍ଟି ହୋଇଛି  । ଗାଡ଼ିମଟର ଭାସୁଥିଲା ଓ ଅତି ଦୟନୀୟ ଥିଲା ସ୍ଥିତି  । ଯେତେବେଳେ ଏହି ଦୃଶ୍ୟ ପୁରା ବ୍ୟବସ୍ଥାକୁ କାଠଗଡ଼ାରେ ଛିଡ଼ା କରିଥିଲା, ସେତେବେଳେ କିଛି ଏଭଳି ଜବାବ୍ ଆସିଥିଲା ରାଜଧାନୀର ମେୟରଙ୍କ ନିକଟରୁ  । ମେୟର୍ ଦୋଷ ଲଦିଥିଲେ ଏନଏଚଏଆଇ ଉପରେ ଓ କହିଥିଲେ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଏନେଇ ବାରମ୍ବାର ଚିଠି ଲେଖାଯାଇଛି  ।

ଗତକାଲି ବର୍ଷାରେ ଗାଡ଼ିମଟର ଭାସିଥିଲା ରାଜରାସ୍ତାରେ  । ଏପରିକି ଇସ୍କନ୍ ମନ୍ଦିର ପ୍ରସାଦ ବିକ୍ରି କେନ୍ଦ୍ର ଭିତରକୁ ମଧ୍ୟ ପାଣି ପସିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ସ୍ଥାନ ହେଉଛି ଇସ୍କନ୍ ମନ୍ଦିର ଅଂଚଳ ଆଉ ଆଗକୁ ରହିଛି ରଥଯାତ୍ରା  । ଏଭଳି ସ୍ଥିତିରେ ବର୍ଷା ଯଦି ହୁଏ ତେବେ କିଭଳି ହେବ ରଥଯାତ୍ରା ଏହାକୁ ନେଇ ଉଠିଛି ପ୍ରଶ୍ନ  । ସେପଟେ ଏହାକୁ ନେଇ ଅସନ୍ତୋଷ ବି ବୃଦ୍ଧି ପାଇଛି  । ଗତବର୍ଷ ନିଜେ ମେୟର୍ ଗଣମାଧ୍ୟମକୁ କହିଥିଲେ ଯେ ବର୍ଷକ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ  । ବର୍ଷ ପୁରିଗଲା, ବର୍ଷା ଦିନ ଆସିଲା ହେଲେ ସମସ୍ୟା ଯାହା ଥିଲା ତାହା  । ପୂର୍ତ ବିଭାଗ ବିଏମସିକୁ, ବିଏମସି ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଖସାଇଦେଉଛନ୍ତି  ।