ଜିଏସଟିକୁ ପୂରିଲା ବର୍ଷେ, କେନ୍ଦ୍ର ଦେଲା ଲାଭ-କ୍ଷତିର ହିସାବ ! ପ୍ରଧାନମନ୍ତ୍ରୀ କହିଲେ, କାରବାରକୁ ସୁଗମ କଲା ଏକକ ଟିକସ ବ୍ୟବସ୍ଥା ।

35

କନକ ବ୍ୟୁରୋ : ଦେଶରେ ଦ୍ରବ୍ୟ ଓ ସେବା କର ଆଇନ- ଜିଏସଟି ଲାଗୁହେବାର ଆଜି ବର୍ଷପୂର୍ତି ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜିଏସଟି ଏକ ସଂସ୍କାରଧର୍ମୀ ଟିକସ । ମର୍ସିଡିସ୍ କାର୍ ଓ କ୍ଷୀର ଉପରେ ସମାନ ଟିକସ ହାର ବସିପାରିବ ନାହିଁ ।  ତେବେ ମୋଦି ସରକାରଙ୍କ ଏହି ବ୍ୟବସ୍ଥାକୁ ସମାଲୋଚନା କରିଛି କଂଗ୍ରେସ । ସେପଟେ ଜିଏସଟିକୁ ନେଇ ଖୁସି ନାହାନ୍ତି ବ୍ୟବସାୟୀ । ଆଗକୁ ସାଧାରଣ ନିର୍ବାଚନ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଜିଏସଟି, ମୋଦି ସରକାରଙ୍କ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ କି ?

ଜୁଲାଇ ୧, ୨୦୧୭ । ଦେଶରେ ଲାଗୁ ହେଲା ଏକକ ଟିକସ ବ୍ୟବସ୍ଥା । ଦେଶର ସବୁଠୁ ବଡ ଆର୍ଥିକ ସଂସ୍କାର କୁହାଯାଉଥିବା ଦ୍ରବ୍ୟ ଓ ସେବା କର-ଜିଏସଟିକୁ ଲାଗୁ କଲେ କେନ୍ଦ୍ର ସରକାର । ମୋଦି ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ବ୍ୟବସ୍ଥାକୁ ବର୍ଷେ ପୁରିଛି । ସଫଳତା ବଖାଣି ସରକାର ଜିଏସଟି ଦିବସ ପାଳୁଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମର୍ସିଡିସ୍ କାର ଓ ମିଲ୍କ ବା କ୍ଷୀର ଉପରେ ସମାନ ଟିକସ ହାର ବସିପାରିବ ନାହିଁ । ଜିଏସଟି ବିକାଶ, ସରଳତା ଏବଂ ପାରଦର୍ଶିତା ନେଇ ଆସିଛି । କାରବାରକୁ ସୁଗମ କରିଛି ଏକକ ଟିକସ ବ୍ୟବସ୍ଥା । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଦେଶରେ ଆର୍ଥିକ ସୁଧାର ଆସିଛି ।

ଏକକ ଟିକସ ବ୍ୟବସ୍ଥାକୁ ସରକାର ଭୁରି ଭୁରି ପ୍ରଶଂସା କରୁଥିବା ବେଳେ ବ୍ୟବସ୍ଥାର ବିଫଳତା ବଖାଣିଛନ୍ତି ବିରୋଧୀ । କଂଗ୍ରେସ କହିଛି, ଜିଏସଟି ଦ୍ୱାରା ସାଧାରଣ ଲୋକଙ୍କ କିଛି ଲାଭ ହୋଇନାହିଁ । ବ୍ୟବସାୟୀଙ୍କ ପାଇଁ ଜିଏସଟି ଏକ ଖରାପ ସ୍ୱପ୍ନ ଭଳି । ଏକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଭିତରେ ଜିଏସଟିକୁ ଲାଗୁ କରିଛନ୍ତି ସରକାର । ଓଡ଼ିଶାରେ ଜିଏସଟିର କାର୍ଯ୍ୟକାରିତା ନେଇ ମିଶ୍ର ଅନୁଭୂତି ମିଳିଥିବା କହିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା । ଦେଶରେ ଜିଏସଟି ରିଟର୍ଣ୍ଣ ହାର ୮୪ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହି ହାର ୭୦ ପ୍ରତିଶତ ରହିଛି । ତେବେ ୫ ବର୍ଷ ପରେ କେନ୍ଦ୍ର କ୍ଷତିଭରଣା ବନ୍ଦ କରିଦେଲା ପରେ ସ୍ଥିତି କ’ଣ ହେବ ସେ ନେଇ ସମୀକ୍ଷା କରିବାକୁ ପଡ଼ିବ ।

ଜିଏସଟିକୁ ନେଇ ବେଶ ଆଶାବାଦୀ ମୋଦି ସରକାର । ବର୍ଷକ ପରେ ଲାଭ କ୍ଷତିର ହିସାବ ମଧ୍ୟ ରଖିଛନ୍ତି । ହେଲେ ଅନୁରୂପ ଭାବେ ଜିଏସଟିକୁ ନେଇ ଖୁସି ନାହାନ୍ତି ବ୍ୟବସାୟୀ । ପ୍ରକୃତରେ ଜିଏସଟି କେତେ ସଫଳ ହୋଇଛି ଏବଂ ଏହାର ସୁଫଳ ଲୋକେ କେତେ ପାଇଛନ୍ତି, ତାହା ଯେତିକି ବଡ଼ ପ୍ରଶ୍ନ, ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ଆଗାମୀ ନିର୍ବାଚନରେ ମୋଦି ସରକାରଙ୍କୁ ଏହା କେତେ ଫାଇଦା ଦେଉଛି ।