ଏମିତି ଚାଲିଛି କ୍ୟାପିଟାଲ ହସ୍ପିଟାଲର ସ୍ୱାସ୍ଥ୍ୟ ସେବା । ୩ବର୍ଷ ହେଲା ଲାପାରୋସ୍କୋପିକ ୟୁନିଟ ବନ୍ଦ

32

କନକ ବ୍ୟୁରୋ : ରାଜଧାନୀର ଅନେକ ଲୋକ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ଗତ ତିନି ବର୍ଷ ହେଲା ରାଜଧାନୀରେ ଏହି ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବିଗିଡିବାରେ ଲାଗିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଲାପାରୋସ୍କୋପିକ ୟୁନିଟ ଗତ ୩ବର୍ଷ ହେବ ବନ୍ଦ ପଡ଼ିଛି । ଏହାର ମରାମତି ଓ ଆବଶ୍ୟକ ଯନ୍ତ୍ରାଂଶ ମୂଲ୍ୟକୁ ଦୃଷ୍ଟିରେ ରଖି ଏକ ନୂତନ ଅତ୍ୟାଧୁନିକ ଲାପାରୋସ୍କୋପିକ ମେସିନ ଯୋଗାଇ ଦେବାକୁ ରାଜ୍ୟ ଔଷଧ ନିଗମକୁ ପ୍ରସ୍ତାବ ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।

ବିଧାୟକ ପ୍ରିୟଦର୍ଶୀ ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ଲାପେରୋସ୍କାପିକ ମେସିନ ଓ ସଂକ୍ରମଣ ବିଭାଗର ପରିଷ୍କାର ପରିଚ୍ଛନ୍ନତା ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀ ଜେନା କହିଛନ୍ତି ଯେ, ହସ୍ପିଟାଲର ସଂକ୍ରମଣ ଓ୍ଵାର୍ଡର ଚାରି ପାଖରେ ଅଳିଆ ଆବର୍ଜନା ମୁକ୍ତ ରହିଛି। ଶବ ବ୍ୟବଚ୍ଛେଦ ଗୃହ ଓ ସେସବୁ ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଯୁକ୍ତ ୱେଷ୍ଟବିନ ଲଗାଯାଇଛି। ୱେଷ୍ଟବିନରେ ଜମା ହେଉଥିବା ଅବର୍ଜନାକୁ ପ୍ରତିଦିନ ବିଏମସି ଗାଡ଼ି ଦ୍ୱାରା ନିଷ୍କାସିତ କରାଯାଉଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।