ତୃତୀୟ ମହଲା ନୁହେଁ ପୁରୀର ସର୍କିଟହାଉସ । ଭୁବନେଶ୍ୱର ବାହାରେ ପ୍ରଥମଥର ପାଇଁ ବସିବ କ୍ୟାବିନେଟ ବୈଠକ, ନିଆଯିବ କି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ?

37

କନକ ବ୍ୟୁରୋ : ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସଚିବାଳୟ ବଦଳରେ ପୁରୀ ସର୍କିଟ ହାଉସରେ ହେବ ବୈଠକ । ଆସନ୍ତାକାଲି ପୁରୀରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ପୂର୍ବାହ୍ନ ୧୧ଟାରେ ପୁରୀ ସର୍କିଟ ହାଉସରେ ହେବ ରାଜ୍ୟ କ୍ୟାବିନେଟ ମିଟିଂ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିବ ବୋଲି ସୂଚନା ମିଳିଛି । ତେବେ ଏଥର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକ ଟିକିଏ ସ୍ୱତନ୍ତ୍ର ।ପୁରୀ ସର୍କିଟ ହାଉସରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ପ୍ରଥମଥର ପାଇଁ ସଚିବାଳୟ ବାହାରେ କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ପୂର୍ବରୁ କେବେ କ୍ୟାବିନେଟ ବୈଠକ ସଚିବାଳୟର ବାହାରେ ହୋଇନଥିଲା । ଆସନ୍ତାକାଲି ଦଳର ୨୦ ତମ ପ୍ରତିଷ୍ଠା ଦିବସ ଅବସରରେ କ୍ୟାବିନେଟ ବୈଠକରେ ନବୀନ କିଛି ଲୋକପ୍ରିୟ ଯୋଜନା ନେଇ ଘୋଷଣା କରିପାରନ୍ତି । ତେବେ ପ୍ରଥମଥର ପାଇଁ ସଚିବାଳୟ ବାହାରେ କ୍ୟାବିନେଟ ବୈଠକ ହେଉଥିବାରୁ କେଉଁ କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

puriଆସନ୍ତାକାଲି ପୁରୀରେ ଶାସକ ବିଜେଡି ୨୦ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ସର୍କିଟ ହାଉସରେ ହେବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ପ୍ରଥମେ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ସ୍ୱର୍ଗଦ୍ୱାରକୁ ଯିବେ । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଦେଇ ସର୍କିଟ ହାଉସ ଯିବେ ନବୀନ । ଏଠାରେ କିଛି ସମୟର ରହଣି ଭିତରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । କିନ୍ତୁ ପ୍ରଥମଥର ପାଇଁ ସଚିବାଳୟ ବାହାରେ କ୍ୟାବିନେଟ ବୈଠକ କରି ନବୀନ ପୁରୀ ବାସୀଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

କ୍ୟାବିନେଟ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଦଳର ୨୦ ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ । ଏହାସହ ଦଳର ଜନ୍ମଦିବସରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜେଡି ପୁରୀ ସହରରେ ପାଳନ କରିବ ୨୦ ତମ ପ୍ରତିଷ୍ଠା ଦିବସ । ଯେଉଁଥି ପାଇଁ ବ୍ୟାପକ ଆୟୋଜନ କରୁଛନ୍ତି ନବୀନ ଆଣ୍ଡ ଟିମ୍ । ଶ୍ରୀ କ୍ଷେତ୍ର ଆସିଥିଲେ ନରେନ୍ଦ୍ର ମୋଦି ଓ ଅମିତ ଶାହା । ଆଉ ଏଇଠୁ ହିଁ ଓଡ଼ିଶା ରାଜନୀତିର ନବକଳେବରର ହେବ ବୋଲି ଆହ୍ୱାନ ଦିଆଯାଇଛି । କାଲି ପୁରୀରେ ରୋଡ ସୋ ଜରିଆରେ ଦମ ଦେଖାଇବ ବିଜେଡି । କାଲିର କାର୍ଯ୍ୟକ୍ରମରେ ଏକାଠି ହେବେ ତୃଣମୂଳରୁ ଶୀଖରସ୍ତରର ନେତା ଓ କର୍ମୀ । ଯେଉଁଠି ପ୍ରସ୍ତୁତ ହେବ ୨୦୧୯ ପାଇଁ ନିର୍ବାଚନୀ ଖସଡ଼ା ।