୧୨ ବର୍ଷରୁ କମ ନାବାଳିକାଙ୍କ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ : କେନ୍ଦ୍ର କ୍ୟାବିନେଟ ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଂଜୁରୀ

45

କନକ ବ୍ୟୁରୋ : ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦେବା ଅଧ୍ୟାଦେଶକୁ ଆଜି ରାଷ୍ଟ୍ରପତି ମଂଜୁରୀ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ପରେ ରାଷ୍ଟ୍ରପତି ଅଧ୍ୟାଦେଶରେ ଉପରେ ହସ୍ତାକ୍ଷର କରିଛନ୍ତି । ଏହାପରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଦେଇଛନ୍ତି । ଏବେ ଦୁଷ୍କର୍ମକୁ ନେଇ ନୂଆ ନିୟମ ଆସିବ ଓ ପାକସୋ ଆକ୍ଟରେ ମଧ୍ୟ ସଂଶୋଧନ ହେବ । କାଠୁଆ, ଉନ୍ନାଓ, ସୁରଟ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଶନିବାର ମୋଦି ସରକାର ଦୋଷୀକୁ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ସମ୍ମତି ଦେଇଛନ୍ତି । ଅଧ୍ୟାଦେଶର ପ୍ରସ୍ତାବ ଅନୁସାରେ ଆଇପିସି, ସିଆରପିସି ଓ ପାକସୋ ଆକ୍ଟରେ ସଂଶୋଧନ କରି ଅପରାଧୀକୁ ଦଣ୍ଡିତ କରାଯିବ ।

ସେପଟେ ଦେଶରେ ଧର୍ଷଣ ମାମଲା ବଢୁଥିବାବେଳେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱର ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଗୋଟିଏ ଦୁଇଟି ଘଟଣାକୁ ପ୍ରସଙ୍ଗ କରାଯିବା ଠିକ ନୁହେଁ । ସେ ଆହୁରି କହିଛନ୍ତି, ଏଭଳି ଘଟଣାକୁ ରୋକାଯାଇପାରିବ ନାହିଁ । ତେବେ ଏଭଳି ଘଟଣାରେ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପୁଣି ଲଜ୍ଜା । କଟକ ଜିଲ୍ଲା ସାଲେପୁର ଅଂଚଳରେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ସ୍କୁଲ ପିଣ୍ଡାରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ସଂପୃ୍କ୍ତ ଶିଶୁକନ୍ୟାକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୀଡିତା ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସାଲେପୁର ପୋଲିସ ତନାଘନା ଚଳାଇଛି । ପୀଡିତା ନାବାଳିକାଙ୍କୁ କଟକ ବଡ ଡାକ୍ତରଖାନାରେ ଭେଟିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ଅନ୍ୟପଟେ ଏସିସିବିରେ ଶିଶୁ ବିଭାଗର ମୁଖ୍ୟଙ୍କ ଅଧ୍ୟକ୍ଷତାରେ ପୀଡିତାର ଚିକିତ୍ସା ପାଇଁ ୬ ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବ ।