ବସ ଧର୍ମଘଟକୁ ନେଇ ଆଲୋଚନା : ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ ଧର୍ମଘଟକୁ ନେଇ ପରିବହନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱପୂଣ୍ଣ ବୈଠକ ଶେଷ ହୋଇଛି । ବସ ମାଲିକ ମାନଙ୍କୁ ଧର୍ମଘଟରୁ ଓହରିଯିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ବସ ମାଲିକ ସଂଘ ଖୁବ ଶୀଘ୍ର ଚୂଡାନ୍ତ ନିଷ୍ପତି ନେବେ ବୋଲି କହିଛନ୍ତି । ପରିବହନ ମନ୍ତ୍ରୀ ରମେଶ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା, ପରିବହନ କମିସନର, ଗୃହ ସଚିବ ଓ ପୁଲିସ ମହାନିର୍ଦେଶକ କେ.ବି ସିଂହ ଉପସ୍ଥିତ ଥିଲେ ।

ଅନୁଗୁଳ ବସ ଦୁର୍ଘଟଣାରେ ମହାରାଜା ବସ ମାଲିକଙ୍କ ଗିରଫ ପ୍ରତିବାଦରେ ୨୪ ଘଂଟିଆ ଚକ-ଅଖ ବନ୍ଦ ରଖିଛି ବସ ମାଲିକ ସଂଘ । ସକାଳ ୬ଟାରୁ ତାପରଦିନ ୬ଟା ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିଛି ବସ ମାଲିକ ସଂଘ । ଏଥିରେ ସାମିଲ ହୋଇଛନ୍ତି ପ୍ରାୟ ୧୮ ହଜାର ଘରୋଇ ବସ । ବସ ବନ୍ଦ ଯୋଗୁଁ ସାଧାରଣ ଗମନାଗମନ ପ୍ରଭାବିତ ହୋଇଛି ।

ଆଗାମୀ ଦିନରେ ଏହି ଧର୍ମଘଟରେ ରାଜ୍ୟ ଟ୍ରକ ମାଲିକ ସଂଘ ଏବଂ ଅନ୍ୟାନ୍ୟ ଘରୋଇ ଗାଡି ଚାଳକ ସଂଘ ଗୁଡିକ ମଧ୍ୟ ସାମିଲ ହେବେ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର କୁମାର ସାହୁ ।