ବସ ଡ୍ରାଇଭରଙ୍କୁ ଚପଲ ମାଡ ! କମେଂଟ ମରାକୁ କେନ୍ଦ୍ର କରି ତାତିଲେ ମହିଳା,ବାଲେଶ୍ୱର ଖନ୍ତାପଡା ବଜାରେ ଘଟିଛି ଘଟଣା

30

କନକ ବ୍ୟୁରୋ : ବସରେ ଗଲାବେଳେ ବର୍ତ୍ତମାନ ସମୟରେ ଅନେକ ମହିଳା ଓ ଯୁବତୀମାନଙ୍କୁ କମେଣ୍ଟମାରିବା ବା ଅଶ୍ଳୀଳ ଇଙ୍ଗିତ କରିବା ଭଲି ଖବର ଅନେକ ସମୟରେ ଆସୁଛି । ତେବେ ବାରମ୍ବାର ସଚେତନତା ସତ୍ୱେ ସୁଧୁରିବାରେ ନା ନେଉନାହାନ୍ତି ଅନେକ ବସ କର୍ମଚାରୀ । ସେହିପରି ପୁଣିଥରେ ବାଲେଶ୍ୱରର ଏକ ଘଟଣା ଲୋକମାନଙ୍କ ସାମନାକୁ ଆସିଛି ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ, ବସ ଡ୍ରାଇଭରଙ୍କୁ ଚପଲ ମାଡ଼ ଖାଇବା ପାଇଁ ପଡିଛି । ବସରେ ଯାଉଥିବା ମହିଳା ଯାତ୍ରୀଙ୍କୁ କମେଣ୍ଟ ମାରିବାରୁ ଏପରି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଘଟଣାଟି ବାଲେଶ୍ୱର ଖନ୍ତାପଡା ବଜାରରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଆଶା ଗୋବିନ୍ଦ ବସର ଡ୍ରାଇଭର ଜଣେ ମହିଳାଙ୍କୁ କମେଂଟ ମାରିଥିଲେ । ଏହା ପରେ ମହିଳା ଜଣକ ଡ୍ରାଇଭରଙ୍କୁ ବସରୁ ଓହ୍ଲାଇ ଚପଲରେ ମାଡ ମାରିଥିବା ଜଣାପଡିଛି । କେବଳ ମହିଳ ଜଣଙ୍କ ନୁହେଁ ବରଂ ବସରେ ଥିବା ଅନ୍ୟ ଯାତ୍ରୀ ମାନେ ମଧ୍ୟ ଡ୍ରାଇଭରକୁ ନିର୍ଧୁମ ପିଟିଛନ୍ତି ।

 

ଖନ୍ତପଡା ଥାନାରେ ଏନେଇ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ଡ୍ରାଇଭରଙ୍କୁ ଅଟକ ରଖ ତଦନ୍ତ କରୁଛି । ତେବେ ଏହି ଘଟଣାପରେ ସେଠାରେ କିଛି ସମୟପାଇଁ ଉତ୍ତେଦନା ଦେଖାଯାଇଥିଲା । ପରେ ପୋଲିସ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଛି । ମହିଳାଙ୍କ କହିବା ଅନୁସାରେ ସେ ପ୍ରଥମେ ଏହାକୁ ବିରୋଧ କରିଥିଲେ କିନ୍ତୁ ବସ କର୍ମଚାରୀଙ୍କ ଉପରେ ଏହାର କୈାଣସି ପ୍ରଭାବ ପଡିନଥିଲା । ତେଣୁ ସେ ବାଧ୍ୟ ହୋଇ ଏପରି କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି । ବାରମ୍ବାର ଏପରି ଭାବରେ ମହିଳାମାନଙ୍କୁ ଚଳନ୍ତା ବସରେ ଏପରି କଦର୍ଯ୍ୟ ବ୍ୟବହାର ହେଉଥିବାରୁ ସାରା ରାଜ୍ୟରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।