କୋମାରେ ସ୍ୱାସ୍ଥ୍ୟ ସେବା : ବୁର୍ଲା ମେଡିକାଲରେ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି

23

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ବୁର୍ଲାରେ ଜୁନିଅର ଡାକ୍ତର ସଂଘଙ୍କ ଆନେ୍ଦାଳନ ଦ୍ୱିତୀୟ ଦିନରେ ପଂହଚିଛି । ମେଡିକାଲର ଭିତିଭୂମି ବିକାଶ ନେଇ ସରକାରଙ୍କ ନିକଟରେ ୯ ଦଫା ଦାବି ରଖିଛି ସଂଘ । ଯଥାଶୀଘ୍ର ଏହି ଦାବି ଗୁଡିକ ପୁରଣ ପାଇଁ ଆନ୍ଦୋଳନ ଜୋରଦାର ହୋଇଛି  । ସେପଟେ ସମସ୍ୟାର ସମାଧାନ ପାଇଁ ଆଜି ଆରଡିସିଙ୍କ ସହ ଆଲୋଚନା କରିବ ଡାକ୍ତରୀ ସଂଘ । ଜୁନିଅର ଡାକ୍ତରଙ୍କ ଏହି ଆନ୍ଦୋଳନକୁ  ହାଉସ ସର୍ଜନ, ପିଜି ଛାତ୍ର ମାନେ ସମର୍ଥନ କରୁଥିବାରୁ ବୁର୍ଲା ମେଡିକାଲ କଲେଜରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ଠପ୍ ହୋଇଯାଇଛି । ବାଧ୍ୟ ହୋଇ ରୋଗୀ ମାନେ ଘରୋଇ ନର୍ସିଂହୋମକୁ ଯାଉଥିବାର ଦେଖିବାକୁ ମିଳୁଛି ।

ସେପଟେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ନୂଆ ଅଧୀକ୍ଷକ ପ୍ରଫେସର ବ୍ରଜମୋହନ ମିଶ୍ର । ତାଙ୍କ କହିବା କଥା ଜୁନିୟର ଡାକ୍ତରଙ୍କ ୯ ଦଫା ଦାବି ଯଥାର୍ଥ । ତେବେ ଆନ୍ଦୋଳନ ସମୟରେ ସ୍ୱାସ୍ଥ୍ୟସେବା କିଭଳି ବାଧାପ୍ରାପ୍ତ ନହେବ ସେଥିପାଇଁ ଦୃଷ୍ଟି ଦିଆଯାଇଛି । ଆନ୍ଦୋଳନ ପ୍ରଭାବରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ରୋଗୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି ।