ଖୋଲିବ ଦିଲ୍ଲୀରେ ଗୋଟିଏ ପରିବାରର ୧୧ ମୃତ୍ୟୁର ଗୁମର : ପୋଲିସ ସ୍କାନରରେ ମହିଳା ତାନ୍ତ୍ରିକ, ପଚରାଉଚରା ଜାରି

39

କନକ ବ୍ୟୁରୋ : ଦିଲ୍ଲୀ ସନ୍ଥନଗର ୧୧ମୃତ୍ୟୁ ଘଟଣା ପଛରେ ଜଣେ ତାନ୍ତ୍ରିକଙ୍କ ହାତ ଥିବାକୁ ନେଇ ଉଠିଛି ପ୍ରଶ୍ନ । ଗୀତାଦେବୀ ନାମକ ମହିଳା ତାନ୍ତ୍ରିକଙ୍କୁ ପୋଲିସ ହେପାଜତକୁ ନେଇଛି । ଲଳିତ ଭାଟିଆ ପରିବାର ସହ ତାଙ୍କର କି ସମ୍ପର୍କ ଥିଲା ସେନେଇ ପୋଲିସ ଛାନଭିନ କରୁଛି । ଖାଲି ସେତିକି ନୁହେଁ ଏହି ସାମୂହିକ ଆତ୍ମହତ୍ୟା ସମ୍ପର୍କରେ ଲଳିତଙ୍କ ପରିବାର ସହିତ ତାନ୍ତ୍ରିକ ପୂର୍ବରୁ କିଛି କଥା ହୋଇଥିଲେ କି ନାହିଁ ଏବଂ ଏନେଇ କିଛି ଆଭାସ ମିଳିଥିଲା କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି ।

ଅନ୍ୟପକ୍ଷରେ ମହିଳା ଜଣଙ୍କ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୋଲିସ ସେହି ଘରୁ ଜବତ କରିଥିବା ସମସ୍ତ ମୋବାଇଲର କଲ ଡିଟେଲକୁ ଯାଂଚ କରୁଛି । ଏସବୁ ଫୋନରୁ କାହାକୁ କାହାକୁ ଫୋନ ହୋଇଥିଲା ସେନେଇ ଖୋଳତାଡ କରୁଛି ପୋଲିସ । ପ୍ରାୟ ୫୦୦ ଜଣ ଲୋକଙ୍କ ଏକ ତାଲିକା ତିଆରି କରିଛି ପୋଲିସ । ୧୦୦ଜଣଙ୍କୁ ପଚରା ଉଚରା ସରିଛି । ଆଉ ୪୦୦ଜଣଙ୍କୁ ସାମୂହିକ ଆତ୍ମହତ୍ୟା ସମ୍ପର୍କରେ ପଚରା ଉଚରା କରାଯିବ ବୋଲି ପୋଲିସ କହିଛି ।

delhi death

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ଏହି ସାମୂହିକ ଆତ୍ମହତ୍ୟା ପଛରେ ଧାର୍ମିକ ଅନ୍ଧବିଶ୍ୱାସ, ତନ୍ତ୍ରମନ୍ତ୍ର ଏବଂ ମୋକ୍ଷ ମୁଖ୍ୟ କାରଣ ରହିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିବା ପୂର୍ବରୁ ସମସ୍ତ ସଦସ୍ୟ ମୃତ୍ୟୁର ରହିର୍ସାଲ କରୁଥିବାନେଇ କେତେକ ନୂଆ ପ୍ରମାଣ ମିଳିଛି । ପୁଲିସ ଜବତ କରିଥିବା ଡାଏରୀ ଛାନ୍‌ଭିନ୍‌ରୁ ଏ ସଂପର୍କିତ ତଥ୍ୟ ମିଳିଛି । ୩୦ ଜୁନ୍‌ ପୂର୍ବରୁ ଭାଟିଆ ପରିବାର ଲଗାତାର ୬ ଦିନ ଧରି ଫାଶୀରେ ଝୁଲିବା ଅଭ୍ୟାସ କରୁଥିଲେ ବୋଲି ଜଣାପଡ଼ିଛି । ସମସ୍ତେ ସମୂହ ଭାବେ କିଭଳି ଏହି ଅଭ୍ୟାସ କରିବେ ସେ ସଂପର୍କରେ ମଧ୍ୟ ତଥ୍ୟ ଉଲ୍ଲେଖ ରହିଛି ।

୨୮ ଜୁନ୍‌ ସନ୍ଧ୍ୟା ସାଢ଼େ ୭ଟାରେ ରେକର୍ଡ ହୋଇଥିବା ସିସିଟିଭି ଫୁଟେଜରୁ ଲଳିତଙ୍କ ପତ୍ନୀ ଟିନା, ଭୂପିଙ୍କ ପୁଅ ଧ୍ରୁବ ଘର ନିକଟରେ ଥିବା ଏକ ଫର୍ନିଚର ଦୋକାନରୁ ୪ଟି ଷ୍ଟୁଲ୍‌ କିଣି ନେଉଥିବା ଦେଖିବାକୁ ମିଳିଛି । ଦୁଇଟି ଷ୍ଟୁଲ୍‌ ଟିନାଙ୍କ ହାତରେ ଥିବା ବେଳେ ପଛରେ ଯାଉଥିବା ଧ୍ରୁବଙ୍କ ହାତରେ ୨ଟି ଷ୍ଟୁଲ୍‌ ଥିଲା । ଫାଶୀ ଲଗାଇବା ପାଇଁ ଏହି ଷ୍ଟୁଲ୍‌କୁ ବ୍ୟବହାର କରାଯାଇଥିଲା। ଏହାପୂର୍ବରୁ ମିଳିଥିବା ଅନ୍ୟ ଏକ ସିସିଟିଭି ଫୁଟେଜରେ ଘରର ବଡ଼ ପୁଅ ଭୂପିଙ୍କ ପତ୍ନୀ ସ୍ୱାତୀ ଏବଂ ତାଙ୍କ ଝିଅ ନୀତି ଘଟଣା ଘଟିଥିବା ରାତିରେ ୨ଟି ଷ୍ଟୁଲ୍‌ ଘରକୁ ନେଉଥିବା ଦେଖାଯାଇଛି ।
delhi

କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଆତ୍ମହତ୍ୟା ସ୍ଥଳରୁ ୯ଟି ଷ୍ଟୁଲ୍‌ ଜବତ କରିଛନ୍ତି । ଏଥିରେ ୮ଟି ବଡ଼ ଷ୍ଟୁଲ ଥିବା ବେଳେ ଗୋଟିଏ ଛୋଟ ଷ୍ଟୁଲ୍‌ ରହିଥିଲା । ଏହା ବ୍ୟତୀତ ଫାଶୀ ଲଗାଇବା ପାଇଁ ବ୍ୟବହାର ହୋଇଥିବା ତାରକୁ ମଧ୍ୟ ଯାଞ୍ଚ କରାଯାଉଛି । ପୁଲିସ କହିବା ମୁତାବକ ପରିବାରର ୯ ଜଣ ସଦସ୍ୟ ଆତ୍ମହତ୍ୟା ପାଇଁ ୫ଟି ଷ୍ଟୁଲ ବ୍ୟବହାର କରିଥିବା ବେଳେ ଆଉ ଏକ ଷ୍ଟୁଲ ଲଳିତ ଓ ଭୂପିଙ୍କ ମା’ ବ୍ୟବହାର କରିଥାନ୍ତେ । ଏହି ଆତ୍ମହତ୍ୟା ପଛରେ ଲଳିତଙ୍କ ପତ୍ନୀଙ୍କ ଭୂମିକା ଅଧିକ ରହିଥିବା ଏବଂ ଲଲିତଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ସେ ସମସ୍ତଙ୍କ ଉପରେ ଚାପ ସୃଷ୍ଟି କରିଥିବା ଡାଏରୀ ଅନୁଧ୍ୟାନରୁ ଜଣାପଡ଼ିଛି ।